ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ଡ୍ରେନେଜ୍ ବ୍ୟବସ୍ଥା ; ସାମାନ୍ୟ ବର୍ଷା ହେଲେ ସ୍କୁଲରେ ପସୁଛି ଡ୍ରେନ ପାଣି

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ଗୋତମୁଣ୍ଡା ପଞ୍ଚାୟତ ଥୁଟିବର ଗ୍ରାମରେ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ଡ୍ରେନ୍ ତ୍ରୁଟିପୂର୍ଣ୍ଣ ଯୋଗୁଁ ସାମାନ୍ୟ ବର୍ଷା ହେଲେ ସ୍କୁଲରେ ପସୁଛି ଡ୍ରେନର ମଇଲା ପାଣି। କଂକ୍ରିଟ ରାସ୍ତା ନିର୍ମାଣ ସମୟରେ ବିଦ୍ୟାଳୟ ପଟକୁ ଢାଳୁ କରିଦେଇଥିବାରୁ ଏଭଳି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗକୁ ବର୍ଷା ଋତୁ ଆରମ୍ଭ ହେବାକୁ ଯାଉଛି। ତେଣୁ ସ୍କୁଲ ଖୋଲିବା ପରେ ବର୍ଷା ଦିନେ ପିଲାମାନ ଡ୍ରେନ୍ ର ମଇଲା ପାଣିରେ ଗୋଡ଼ ଧୋଇ ସ୍କୁଲ କକ୍ଷରେ ପ୍ରବେଶ କରିବା ସମ୍ଭାବନା ରହିଛି। ଏମିତି କି ତୃଟିପୂର୍ଣ୍ଣ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ମୁଖ୍ୟ ରାସ୍ତା ଉପରେ ଅଳିଆ ଆବର୍ଜନା ସହ ମଇଳା ପାଣି ଅନବରତ ବୋହି ଚାଲିଛି। ଫଳରେ ସ୍ଥାନୀୟ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ପୁଣି ଡ୍ରେନରେ ମଇଳା ପାଣି ଭର୍ତ୍ତି ରହି ଥ‌ିବାରୁ ଦୁର୍ଗନ୍ଧ ହେବା ସହ ମଶା ମାଛିଙ୍କ ବଂଶ ବିସ୍ତାର ହେବାରେ ଲାଗିଛି। ଯାହାକି ମାରାତ୍ମକ ମ୍ୟାଲେରିଆ ଓ ଡେଙ୍ଗୁ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ପୁଣି ଆଗକୁ ବର୍ଷା ଋତୁ ଥିବାରୁ ଡ୍ରେନ ଗୁଡ଼ିକ ସଫା କରା ନଗଲେ ସମସ୍ୟା ଦ୍ବିଗୁଣିତ ହେବା ଆଶଙ୍କା ରହିଛି। ତେଣୁ ଏ ଦିଗରେ ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମର ନରେନ୍ଦ୍ର ପ୍ରଧାନ, ତରୁଣ ଗୋପାଳ, ଚନ୍ଦ୍ର ସୁନା, ଗୋବର୍ଦ୍ଧନ ଭୋଏର, ରୋହିତ ବିହାରୀ, ଲିଙ୍ଗରାଜ ପ୍ରଧାନ, ଶିବ ଖୁଣ୍ଟିଆ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।