ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୌତମଙ୍କ ଗୁରୁମନ୍ତ୍ର
ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଭାରତୀୟ ଜନତା ପାର୍ଟି ବିଶ୍ଵର ସବୁଠୁ ବଡ ରାଜନୈତିକ ଦଳ। ରାଜ୍ୟରେ ବିଜେପି ନିଜ ଦମ୍ରେ ସରକାର ଗଠନ କରିଛି ବୋଲି ବିଜେପି ନେତା ଗୌତମ ରାୟ କହିବା ସହ ସମସ୍ତେ ଏବେ ଠାରୁ ମିଳିମିଶି କାମ କଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଫଳତା ମିଳିବ। ଏଥିପାଇଁ ଆମକୁ ଆମ ଶକ୍ତି, ସାମର୍ଥ୍ୟର ଆକଳନ କରିବାକୁ ପଡ଼ିବ। ମୁଖ୍ୟ ବିରୋଧୀ ବିଜେଡ଼ି ଆମଠାରୁ ଶକ୍ତିଶାଳୀ। ୨୪ ବର୍ଷ କ୍ଷମତା ଉପଭୋଗ କରି ଏହି ଦଳର ନେତା ଓ କର୍ମୀ ପରାଙ୍ଗପୃଷ୍ଟ। ପରସ୍ପର ମଧ୍ୟରେ ଗୋଡ ଟଣାଟଣି, ସମାଲୋଚନା ବିରୋଧୀଙ୍କୁ ବଳ ଦେବ। ବିରୋଧୀ ଆମ ଦଳ ଭିତରେ ଫାଟ ସୃଷ୍ଟି କରିବାକୁ ସକଳ ଉଦ୍ୟମ କରୁଛି। ଏହା ସ୍ୱାଭାବିକ, ମାତ୍ର ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡିବ ବୋଲି ଶ୍ରୀ ରାୟ କହିଥିଲେ। ବହୁ ପ୍ରମୁଖ ଭୋଟର ବିଜେଡ଼ି ପ୍ରତି ବିମୁଖ। ସେମାନଙ୍କୁ ଆପଣାଇବାକୁ ଦଳର ନେତା ଓ କର୍ମ ଉଦ୍ୟମ କରନ୍ତୁ ବୋଲି ଶ୍ରୀରାୟ କହିଥିଲେ। ଏବେବି ଆମେ ବହୁ ଲୋକଙ୍କ ପାଖରେ ପହଞ୍ଚି ପାରିନୁ। ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଆମେ ପ୍ରମୁଖ ଭୋଟର୍ ଙ୍କୁ ଭେଟିଛୁ। ଆମ ଦଳର ନୀତି, ଆଦର୍ଶ ଓ ମୋଦିଜୀଙ୍କ ସୁଶାସନ ସଂପର୍କରେ ଅବଗତ କରିଛୁ। ସରକାର ବଦଳିବା ପରେ ଅନ୍ୟ ଦଳର ନେତା ଓ କର୍ମୀ ନିଜ ନିଜ ଦଳ ପ୍ରତି ବୀତସ୍ପୃହ ହୋଇ ମୁହଁ ମୋଡିଛନ୍ତି। ଆମକୁ ସେମାନଙ୍କୁ ଆପଣାଇବାକୁ ପଡ଼ିବ। ଏଭଳି ହେଲେ ଆମେ ପୂର୍ବାପେକ୍ଷା ଶକ୍ତିଶାଳୀ ହେବା।ପଞ୍ଚାୟତ ସମିତି ଦଖଲ ସ୍ବପ୍ନ ସାକାର ହେବ ବୋଲି ଶ୍ରୀ ରାୟଙ୍କ ସମେତ ସୁବାସ ଚନ୍ଦ୍ର ମହାନ୍ତି, ଶଶଧର ବେହୁରିଆ, ଚିନ୍ମୟୀ ପାଣ୍ଡବ, ଅଭିମନ୍ୟୁ ମହାନ୍ତି, ପତିତପାବନ ମହାନ୍ତି, ଇନ୍ଦ୍ରଜିତ ଦାସ, ପ୍ରମୋଦ ପଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି। ପ୍ରକାଶଯେ ଉଭୟ ବିଜେଡ଼ି ଓ କଂଗ୍ରେସ ଦଳର କେତେକ ପ୍ରମୁଖ ଆଗ ଧାଡ଼ିର ନେତା ବିଜେପିରେ ମିଶିବା ପାଇଁ ଗୌତମଙ୍କ ସଂପର୍କରେ ଅଛନ୍ତି। ପଞ୍ଚାୟତ ସ୍ତରୀୟ ଦଳୀୟ କର୍ମୀ ଓ ନେତା, ପଦାଧିକାରୀଙ୍କ ସହ ବିଚାର ବିମର୍ଶ ପରେ ଏନେଇ ଠିକଣା ପଦକ୍ଷେପ ନିଆଯିବ ବୋଲି ଆଲୋଚନାରେ ସ୍ଥିର ହୋଇଥିଲ । ଥାଲକୁଡି ବିଜେପି କାର୍ଯ୍ୟାଳୟ ଠାରେ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।