ଆନ୍ତରାଜ୍ୟ ସୀମାବିବାଦ ସମାଧାନ କୁ ତ୍ୱରାନ୍ୱିତ କରାଯାଉ: ସପା ଓଡିଶା

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧକ୍ଷତାରେ ଆଜି ବସିବାକୁ ଥିବା ଉଚ୍ଚ ସ୍ତରୀୟ ତଦନ୍ତ କମିଟିରେ ପଡୋଶୀ ରାଜ୍ୟ ମାନଙ୍କ ସହ ଥିବା ସୀମା ବିବାଦ ସମସ୍ୟାର ସମାଧାନକୁ ତ୍ୱରାନ୍ୱିତ କରିବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ଦାବି କରିଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୯ ଦଶନ୍ଧି ବିତିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିବାଦୀୟ ଆନ୍ତରାଜ୍ୟ ସୀମା ବିବାଦ ଗୁଡିକ ସମାଧାନ ହୋଇପାରି ନାହିଁ। ବିଶେଷ କରି ୪ ରାଜ୍ୟ ସହ ଓଡିଶର ୧୪ ଜିଲ୍ଲା ସଂଲଗ୍ନ ଅଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ସହ ଓଡ଼ିଶାର ୧୪ଟି ଜିଲାର ଆନ୍ତଃ ଜିଲା ସୀମା ସଂଲଗ୍ନ ରହିଛି। ଏହି ଜିଲ୍ଲାଗୁଡ଼ିକ ଭିତରେ ରହିଛି ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ସୀମା ବିବାଦ ନେଇ ଓଡ଼ିଶା ସରକାରଙ୍କ ଦ୍ବାରା ଆନ୍ଧ୍ରପ୍ରଦେଶ ବିରୋଧରେ ୧୯୬୮ ମସିହାରେ କୋରାପୁଟ ଜିଲା ପଟ୍ଟାଙ୍ଗି ତହସିଲ ଅନ୍ତର୍ଗତ ୨୧ଟି କୋଟିଆ ଗ୍ରାମ‌ପୁଞ୍ଜକୁ ନେଇ ଏବଂ ବୋରା ମୁଥା ଗ୍ରାମପଂଚାୟତର ୧୩ ଟି ଗ୍ରାମ ଓ ଏହାର ୧୨ଟି ହାମ୍‌ର୍ଲେଟ) କୁ ନେଇ ମାମଲା ସୁପ୍ରିମକୋର୍ଟରେ ଦାଏଚ କରାଯାଇଥିଲା। ଏହି ମାମଲା ଭିତରୁ ଗୋଟିଏ ୨୦୧୦ ମେ ୫ରେ ଫଇସଲା ହୋଇଛି ଯେଉଁଥ୍‌ରେ ଓଡ଼ିଶା ସରକାର ହାରିଛନ୍ତି। ଅନ୍ୟ ମାମଲାଟିରେ ୨୦୦୬ ମାର୍ଚ୍ଚ ୩୦ର ଆଦେଶ ମାଧ୍ୟମରେ ଅଦାଲତ ଭକ୍ତ ମାମଲାକୁ ଖାରଜ କରିବା ସହ ଏହି ମାମଲା ଆଲୋଚନା ମାଧ୍ୟମରେ ଫଇସଲା ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଉଭୟ ପକ୍ଷଙ୍କୁ ଆଦେଶ ଦେଇଛନ୍ତି। ଅତୀତରେ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଗ୍ରାମପୁଞ୍ଜ ଅଧୀନସ୍ଥ କିଛି ଗ୍ରାମରେ ପଞ୍ଚାୟତ ତଥା ମଣ୍ଡଳ ପରିଷଦ ଓ ଜିଲା ପରିଷଦ ଆଞ୍ଚଳିକ ନିର୍ବାଚନମଣ୍ଡଳୀରେ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ବାହାର କରିବା ପରେ ଏହାକୁ କାର୍ଯ୍ୟକାରୀ ନ କରାଇବା ପାଇଁ ଓଡ଼ିଶା ସରକାର ଉଚ୍ଚତମ ନ୍ୟାୟାଳୟରେ ମାମଲା ଦାଏର କରିଥିଲେ ଯାହା ଏବେ ବିଚାରାଧୀନ ଅଛି। ଏହାଛଡ଼ା ଓଡ଼ିଶା ସରକାର ଉଚ୍ଚତମ ନ୍ୟାୟାଳୟରେ ଆଉ ଏକ ମାମଲା ରୁଜୁ କରିଥିଲେ ଯାହା ଏବେ ବିଚାରାଧୀନ ଅଛି। ସେହିପରି ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣରେଖାକୁ ନେଇ ପଶ୍ଚିମ ବଙ୍ଗ ସହ ସୀମା ସମସ୍ୟା ରହିଛି। ସାହାବାଜିପୁର ଓ ଭୋଗରାଇ ଅଞ୍ଚଳରେ ମଧ୍ୟ ପଶ୍ଚିମ ବଙ୍ଗ ଆଧିପତ୍ୟ ଜାହିର କରୁଛି। ଅତୀତରେ ଏଭଳି ବିବାଦ ର ସମାଧାନ ପାଇଁ ଅନେକ କମିଟି ଗଠନ ହୋଇକି ତଦନ୍ତ ହୋଇଥିଲେ ସୁଦ୍ଧା କୌଣସି ନିର୍ଝସ ବାହାରି ନାହିଁ। ତେଣୁ ସରକାର ଏହି ସମସ୍ୟା ଗୁଡିକୁ ଗୁରୁତର ସହିତ ବିଚାର କରିବା ସହ ଗଠନ ହୋଇଥିବା ଉଚ୍ଚ ସ୍ତରୀୟ କମିଟିରେ ସର୍ବ ଦଳୀୟ ପ୍ରତିନିଧି ମଣ୍ଡଳକୁ ସାମିଲ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯାଦବ ଦାବି କରିଛନ୍ତି।