କୋଷାଗୁମୁଡା/କ୍ରାନ୍ତୀକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାରୁ ପାପଡାହାଣ୍ଡିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କୋଷାଗୁମୁଡା ମାଉସୀ ମା’ ମନ୍ଦିର ନିକଟସ୍ଥ କଲଭେଟ ପାର୍ଶ୍ଵ ଗାତ ଏବେ ଯାନବାହାନ ପାଇଁ ମରଣଯନ୍ତା ପାଲଟିଛି। ଅନେକ ସମୟରେ ମଟର ଚାଲକମାନେ ଏହି ଗାତରେ ପଡି ଲହୁଲୁହାଣ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ପ୍ରକାଶ ଥାଉକି, ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଏହି ରାସ୍ତାଟି କୋଷାଗୁମୁଡାରୁ କୋଡୀଙ୍ଗା, ପାପଡାହାଣ୍ଡି, ନବରଙ୍ଗପୁର, ବସ୍ତର, କଳାହାଣ୍ଡି ଆଦି ଅଞ୍ଚଳକୁ ସଂଯୋଗ କରୁଥିବାରୁ ବିଶେଷ କରି ଏହି ଅଂଚଳର ଶତାଧିକ ଯାନବାହାନ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ଏହି ରାସ୍ତା ଉପରେ ଯାନବାହାନ ଚଳାଚଳ ଅଧିକ ହେଉଥିବାରୁ ତାକୁ ଦୃଷ୍ଟିରେ ରଖି ପ୍ରଶାସନ ୨୮କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାର ପ୍ରସ୍ତତିକରଣ କରିଥିଲେ। ୨୦୨୪-୨୫ଆର୍ଥିକ ବର୍ଷରେ ଏହି ରାସ୍ତାର ପ୍ରସ୍ତତିକରଣ କାର୍ଯ୍ୟ କରାଯାଇଥିବାବେଳେ ପୂର୍ତ୍ତ ବିଭାଗ ଏହାର ଦାୟିତ୍ୱ ନେଇଥିଲା। ରାସ୍ତା ପ୍ରଶସ୍ତିକରଣ ହେବା ପରେ ରାସ୍ତା ଉପରେ ଅନେକ ଛୋଟ ବଡ଼ କଲଭେଟ ମଧ୍ୟ ନିର୍ମାଣ କରାଯାଇଛି। ହେଲେ କୋଷାଗୁମୁଡାର ମାଉସୀ ମନ୍ଦିର ନିକଟରେ ଥିବା କଲଭେଟ ପାର୍ଶ୍ଵରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିଲେ ହେଁ ପୂର୍ତ୍ତ ବିଭାଗ ଅଣଦେଖା କରି ଛାଡି ଦେଇଛନ୍ତି। ଏବେ ଏହି ଗାତ ରାସ୍ତାରେ ଚଳାଚଳ କରୁଥିବା ଯାନବାହାନ ପାଇଁ ମରଣ ଯନ୍ତା ପାଲଟି ଯାଇଛି। ଅନେକ ସମୟରେ ମଟର ବାଇକ ଚାଳକ ମାନେ ଏହି ଗାତରେ ପଡି ଲହୁ ଲୁହାଣ ହେଉଥିବା ମଧ୍ୟ ଶୁଣିବାକୁ ମିଳୁଛି। ତେଣୁ ଦୁର୍ଘଟଣା ଏଡେଇବାକୁ ହେଲେ ପ୍ରଶାସନ ତତ୍ପରତା ଦେଖେଇ ଏହି ଗର୍ତ୍ତକୁ ସମତୁଲ କରିବା ଅତି ଆବଶ୍ୟକ ରହିଛି ବୋଲି ସାଧାରଣ ଲୋକେ ଦାବୀ କରିଛନ୍ତି।