ଯାଜପୁରର ବିକାଶ ପାଇଁ ଉଭୟ ନେତା ଏକାଠି

ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ବର୍ଷୀୟାନ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କୁ ରାଜନୀତିର ପିତାମହ ଭୀଷ୍ମ କୁହାଯାଏ। ସେ ବିଜୁ ଜନତା ଦଳର। ତାଙ୍କ ପାଖରେ ବସିଛନ୍ତି ଆଉ ଜଣେ ଯୁବ ଚେହେରାର ରାଜନେତା ଗୌତମ ରାୟ। ଦିନ ଥିଲା ଉଭୟ ବିଜୁ ଜନତା ଦଳର ଜିଲା ମଙ୍ଗୁଆଳ ସାଜିଥିଲେ। ପ୍ରଫୁଲ୍ଲ ଘଡ଼ାଇ, ଅର୍ଥ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ମହିଳା ଶିଶୁ ବିକାଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମଧ୍ଯ ଥିଲେ। ସେହିପରି ଗୌତମ ଜିଲା ବିଜେଡ଼ିର ସଭାପତି, ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ପୁର୍ବରୁ ଦଶରଥପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ରହିଆସିଛନ୍ତି। ସେ ଏବେ ଭାରତୀୟ ଜନତା ପାର୍ଟିର ଛାମୁଆଁ ନେତା। ମା ବିରଜାଙ୍କ ମୂର୍ତ୍ତୀ ବଦଳ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ତେବେ ରାଜନୀତିର ପିତାମହ ଘଡ଼ାଇ ଙ୍କୁ ଶ୍ରୀରାୟ ସମ୍ମାନ ଦେଖାଇବାରେ କାର୍ପଣ୍ୟତା ପ୍ରକାଶ କରିନାହାନ୍ତି। ପ୍ରଫୁଲ୍ଲ ଘଡ଼ାଇ ପ୍ରତ୍ୟକ୍ଷ ରାଜନୀତିରୁ ଦୁରେଇ ଯାଇଥିବାବେଳେ ଗୌତମ ବିଧାୟକ ଭାବେ ପ୍ରତିଦ୍ବନ୍ଦିତା କରି ହାର୍ ମାନିଛନ୍ତି। ପ୍ରେସ ଏକାଡେମୀର ୩୨ ତମ ବାର୍ଷିକ ଉତ୍ସବରେ ଉଭୟ ଅତିଥିଭାବେ ଯୋଗଦେଇଥିଲେ। ଘଡ଼ାଇଙ୍କ ଗଣମାଧ୍ୟମ ପ୍ରତି ସମ୍ମାନ, ସମ୍ବେଦନ ଓ ସହଯୋଗ ରହିଥିବାବେଳେ ଶ୍ରୀରାୟ ନିଜେ ଜଣେ ଯୋଗ୍ୟ ଭିତ୍ତିକ ସାମ୍ବାଦିକ। ସଭା ଚାଲିଥିବାବେଳେ ଉଭୟ ଇସାରାରେ ନିଜ ନିଜ ମନୋଭାବ ପରସ୍ପରକୁ ନେଣ ଦେଣ କରୁଥିବାର ଦୃଶ୍ୟ ସମ୍ମୁଖରେ ବସିଥିବା ସାମ୍ବାଦିକ, ଶିକ୍ଷାବିତ୍, ବୁଦ୍ଧିଜୀବିଙ୍କ ପାଇଁ ବଡ ଖୋରାକ ଯୋଗାଇ ଥିଲା। ଉଭୟ ଧୁରିନ୍ଧର ରାଜନେତା । କାହାରି ରାଜ୍ଯ ନାହିଁ ହେଲେ ଉଭୟଙ୍କ ରାଇଜ ଚିନ୍ତା ବୋଲି ସମ୍ମୁଖରେ ବସିଥିବା ଜଣେ ଭଦ୍ର ବ୍ୟକ୍ତି କହୁଥିବାର ଶୁଣିବାକୁ ମିଳିଥିଲା।