ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ ( ପ୍ରଦୀପ କୁମାର ମଲ୍ଲିକ) : ପ୍ଲାଷ୍ଟିକ ପ୍ରଦୂଷଣ ଏବେ ଦୃତ ଗତିରେ ବୃଦ୍ଧି ପାଉଛି। ସେହିପରି ଆମେ ଜାଣତରେ ହେଉ କି ଅଜାଣତରେ ପରିବେଶ ପ୍ରଦୂଷଣ କରୁଛୁ। ବୃକ୍ଷ ହିଁ ଜୀବନ ଜାଣି ମଧ୍ଯ ଆମେ ଗଛ କାଟୁଛୁ କିମ୍ବା ପରୋକ୍ଷରେ ପ୍ରୋତ୍ସାହିତ କରୁଛୁ ବୋଲି ବିଜେପି ନେତା ଗୌତମ ରାୟ କହିଛନ୍ତି। ଗଛକୁ କେବଳ କାଠ ଭାବିଲେ ହେବନି। ଏହା ମାନବ ସମାଜର କଲ୍ୟାଣ ପାଇଁ କେତେ ଉପଯୋଗୀ ତାହା ଆମ ସମସ୍ତଙ୍କୁ ଊଣା ଅଧିକେ ଜଣା। ତଥାପି ନିର୍ବିକାର ଭାବରେ ବୃକ୍ଷ ଚ୍ଛେଦନ ଚାଲିଛି। ବିରୋଧ ପାଇଁ ଆମ ସ୍ୱର ଉଠୁନି। ଏଭଳି ହେଲେ ମାନବ ସମାଜର ଧ୍ଵଂସ ଅବଶ୍ୟମ୍ଭାବୀ। ବୃକ୍ଷ ହିଁ ଜୀବନ ଏହି ଉକ୍ତିର ଯଥାର୍ଥତା ନେଇ ସନ୍ଦେହର ଅବକାଶ ନାହିଁ ବୋଲି ଶ୍ରୀରାୟ କହିବା ସହ ପ୍ରାଣୀ ଜଗତ ବଞ୍ଚିବା ପାଇଁ ବୃକ୍ଷର ଉପସ୍ଥିତି ଅପରିହାର୍ଯ୍ୟ। ଗଛ ମନୁଷ୍ୟର ଫୁସ୍ ଫୁସ୍। ଆମେ ଆମ ସୁବିଧା ପାଇଁ ପ୍ରକୁତିଦତ୍ତ ସମ୍ପଦର ବ୍ଯବହାର କରୁଛୁ। ମାତ୍ର ଅନ୍ୟ ପଟେ ବିଭିନ୍ନ ଉପାୟରେ ପୃଥିବୀକୁ ପ୍ରଦୂଷିତ କରୁଛୁ। ପେଟ୍ରୋଲ, ଡିଜେଲ ଚାଳିତ ଯାନବାହାନ, ଫ୍ରିଜ୍, ଏ ସି, କଂକ୍ରିଟ ରାସ୍ତା, ଜଙ୍ଗଲ ପୋଡି ଆମେ ବିପଦକୁ ଡାକି ଆଣୁଛୁ ବୋଲି ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା। ବିଶ୍ବ ପର୍ଯ୍ୟାବରଣ ଦିବସ ଅବ୍ୟବହିତ ପୂର୍ବରୁ ବିଜେପି ପକ୍ଷରୁ ଏକ ବୈଠକ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ ଶଶଧର ବେହୁରିଆ ସଭାପତିତ୍ବରେ ଗୌତମ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହୁ ସାରଗର୍ଭକ ଉପଦେଶ ଦେଇଥିଲେ ଓ ଦଳୀୟ କର୍ମୀ ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଶ୍ରୀରାୟ ନିଜ ଅଭିଭାଷଣରେ ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ରାଜନୈତିକ ଦଳକୁ ଏପରିକି ନିଜକୁ ଦାୟୀ କରିଥିଲେ। ବିଶ୍ବ ପର୍ଯ୍ୟାବରଣ ୨୦୨୫ ର ବିଷୟ ବସ୍ତୁ ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ ରହିଥିବା ବେଳେ ଆମେ ଏଥିପ୍ରତି ଧ୍ୟାନ କେନ୍ଦ୍ରିତ କରିବା କଥା। ପ୍ଲାଷ୍ଟିକ ବ୍ଯବହାର ଏବେ ଦୃତ ଗତିରେ ବୃଦ୍ଧି ପାଉଛି ଓ ତତ୍ ସହିତ ପ୍ରଦୂଷଣ ମଧ୍ଯ। ସଭାସମିତି, ଭୋଜି ଭାତରେ ପ୍ଲାଷ୍ଟିକ ତିଆରି ସାମଗ୍ରୀ ବ୍ଯବହାର ନକରିବାକୁ ଆମେ ଶପଥ ନେବା ଉଚିତ। ଏହାକୁ ସାମାଜିକ ଦାୟିତ୍ବ ଅଥବା ଆନ୍ଦୋଳନ ଭାବିବା ଦରକାର ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ସୁବାସ ଚନ୍ଦ୍ର ମହାନ୍ତି, ଅଭିମନ୍ୟୁ ମହାନ୍ତି, ପ୍ରମୋଦ ପଣ୍ଡା, ସମିତି ସଭ୍ୟା ସରିତା ପଣ୍ଡା, ପୁର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହୁରିଆ, ଲିଟନ ପାତ୍ର ପ୍ରମୁଖ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ବ ଆରୋପ କରିଥିଲେ।