ବସ ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ମୃତ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ଭୁବନେଶ୍ୱରରୁ ଉମରକୋଟ ଯାତ୍ରା କରୁଥିବା ରଘୁନାଥ ଟ୍ରାଭେଲ ନାମକ ଏକ ଘରୋଇ ଯାତ୍ରୀବାହୀ ବସ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ଉକ୍ତ ବସରେ ବସିଥିବା ପାଞ୍ଚ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଲିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରା। ସୂଚନା ପ୍ରକାରେ, ବିନୋଦ ବେହେରା କୌଣସି ଏକ କାର୍ଯ୍ୟରେ ଭୁବନେଶ୍ୱର ଯାଇ କାର୍ଯ୍ୟ ସ୍ଥଳକୁ ଫେରୁଥିବା ସମୟରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଚାରବାହାଲ ଗ୍ରାମ ନିକଟରେ ଆଜି ଭୋର ସମୟରେ ବସ ଦଣ୍ଡାୟମାନ ଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସରେ ବସିଥିବା ପାଞ୍ଚଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରା ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ କୋକସରା ଅଗ୍ନିଶମ ବିଭାଗ ଏବଂ ମୋଟେର ଫାଣ୍ଡି ପୋଲିସ ପହଞ୍ଚି ଗୁରୁତର ଆହତ ଓ ମୃତ ଯନ୍ତ୍ରୀ ବିନୋଦ ବେହେରାଙ୍କୁ ଜୁନାଗଡ଼ ମେଡିକାଲକୁ ନେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳେଇଛି। ଏହି ଖବରଟି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଝରିଗାଁରେ ଶୋକର ଛାୟା ଖେଳି ଯାଇଛି।