କାଶୀପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଞ୍ଜନ କୁମାର ନାଏକ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ସ୍ଥିତ ନୀଳକଣ୍ଠେଶ୍ଵର ମହାଦେବଙ୍କ ନବ ନିର୍ମିତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଶୁଭାରମ୍ଭ ହୋଇଛି। ତିନିଶହ ବର୍ଷ ପୂର୍ବେ ଉତ୍ତର ପ୍ରଦେଶ ସ୍ଥିତ ବନାରସ ଧାମର କାଶୀବିଶ୍ୱନାଥ ଶୈବ ପୀଠରୁ ତତ୍କାଳୀନ କାଶୀପୁର ମହାରାଜ ଜ୍ୟୋତିର୍ଲିଙ୍ଗ ଆଣି ଲକ୍ଷେ ଚମ୍ପା ବଣ ନାମରେ ନାମିତ ସେଇ ସ୍ଥାନରେ ମନ୍ଦିର ନିର୍ମାଣ କରି ଏଠାରେ ନୀଳକଣ୍ଠେଶ୍ଵରଙ୍କ ନାମେ ସ୍ଥାପନା କରିଥିବାର କିମ୍ବଦନ୍ତୀ ରହିଛି। ସେଇ ସମୟର ସେଇ ପୁରାତନ ମନ୍ଦିରକୁ ଭାଙ୍ଗି ନୂତନ ଭାବେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି। ମନ୍ଦିରଟି ପଞ୍ଜାବ ଅମୃତଶରର ସ୍ବର୍ଣ୍ଣ ମନ୍ଦିର ଭଳି କାରୁକାର୍ଯ୍ୟ ଶୈଳୀରେ ନିର୍ମାଣ କରାଯାଇଛି।ଯାହାର ପ୍ରତିଷ୍ଠା ଉତ୍ସବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୮ ତାରିଖ ରବିବାର ଦିନ ଉଦଯାପିତ ହେବ। ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂଜାର୍ଚ୍ଚନାର କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଦୀକ୍ଷା ଅଙ୍କୁରାରୋପଣ, ମଣ୍ଡଳ କରଣ,ଶୁକ୍ରବାର ଦଳଯାତ୍ରା, କର୍ମାରମ୍ଭ, ସୂର୍ଯ୍ୟପୂଜା, ଶାଲାପୂଜା,ଅଗ୍ନିସଂସ୍କାର, ନାମଯଜ୍ଞ ଆରମ୍ଭ। ଶନିବାର ଶାଲାପୂଜା, ସୂର୍ଯ୍ୟପୂଜା, ଗୋପୁଜା, ମହାସ୍ନାନ ଶୟନ, ଦେବତା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଥିବା ବେଳେ ରବିବାର ତଥା ଉଦଯାପନୀ ଦିବସରେ ଦେବତାଙ୍କ ନବଯୌବନ ଦର୍ଶନ,ଅନୁଯଜ୍ଞ ଦେବତା ସିଂହାସନ ଆରୋହଣ ଓ ପୂର୍ଣ୍ଣାହୁତି। ଏହି ଭଳି ଚାରିଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାଡମ୍ବରେ ଆୟୋଜନ କରାଯିବ।ନୀଳକଣ୍ଠେଶ୍ଵର ମନ୍ଦିର ନିର୍ମାଣ ଉତ୍ସବର ପ୍ରଥମ ଦିବସ ମହା ଯଜ୍ଞ ଅବସରରେ କାଶୀପୁର ପଞ୍ଚମ ମହାରାଜ ଶ୍ରୀ ଶ୍ରୀ ଦୁବେନ୍ଦୁ କୁମାର ସିଂଦେଓ ଧର୍ମପତ୍ନୀ ଶ୍ରୀମତୀ ହେମଲତା ସିଂଦେଓ ନୀଳକଣ୍ଠେଶ୍ଵରଙ୍କ ଆରାଧ୍ୟରେ ସମର୍ପିତ ହୋଇଥିଲେ। ଏହି ଅବସରରେ ବହୁ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଥିଲା