ପ୍ରକୃତିବନ୍ଧୁ ସମ୍ମାନ ପାଇଲେ ଚରଣ ସିଂ ବାଗ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝିଗୁଡା ଗ୍ରାମର ଚରଣ ସିଂ ବାଗ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଭବାନୀପାଟଣା ସ୍ଥିତ ମେଦିନୀପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଚରଣ ସିଂ ବାଗ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଚଳିତ ବର୍ଷ ଜିଲ୍ଲାର ୯ ଜଣ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି। ଚରଣ ସିଂ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନିତ ହେବାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଚରଣ କୋକସରା ବ୍ଲକ ତଥା ଆଖ ପାଖ ଅଞ୍ଚଳକୁ ଯାଇ ବିଭିନ୍ନ ଗ୍ରାମୀଣ ଗୋଷ୍ଠୀ ତଥା ଯୁବ ଅନୁଷ୍ଠାନ ସହଯୋଗରେ ଗାଁ ରାସ୍ତା, ସ୍କୁଲ କଲେଜ, ପୋଖରୀ, ଗ୍ରାମ ତଥା ବିଭିନ୍ନ ଅନୁଷ୍ଠାନ ଆଦି ସ୍ଥାନରେ ବୃକ୍ଷରୋପଣ ବ୍ୟବସ୍ଥା, ଜଳବାୟୁର ସ୍ଥିରତା ଅଭ୍ୟାସ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ, ମୃତ୍ତିକା ସଂରକ୍ଷଣ, ଜଳ ସଂରକ୍ଷଣ, ବନ୍ୟଜନ୍ତୁ, ସରୀସୃପ, ଗୃହପାଳିତ ପଶୁ, ପକ୍ଷୀ ମାନଙ୍କୁ ପାନୀୟ ଜଳ ବ୍ୟବସ୍ଥା, ଜଳବାୟୁ ଉପଯୋଗୀ କୃଷି ଅଭ୍ୟାସ, ବିଶ୍ୱ ପରିବେଶ ଦିବସର ସଚେତନତା ବାର୍ତ୍ତା ଦେବା ସହ ଏସମ୍ଵନ୍ଧରେ ଜନ ସଚେତନତା କାର୍ଯ୍ୟକ୍ରମ ମାନ କରିଛନ୍ତି। ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରିଥିବାରୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା “ପ୍ରକୃତି ବନ୍ଧୁ ” ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପ୍ରକାଶ ଯେ’ ଚରଣ ସିଂ ବାଗ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି, ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟର କୋକସରା ବ୍ଲକର ଜାତୀୟ ଯୁବ ସ୍ୱେଚ୍ଛାସେବୀ ଅଟନ୍ତି।