ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ସରକାର ବଦଳିବା ପରେ ବନ୍ଦ ରହିଥିବା କେତେକ ପ୍ରକଳ୍ପ ନିର୍ମାଣ ହେବାର ବାଟ ଫିଟିଛି। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୌତମ ରାୟଙ୍କ ହସ୍ତକ୍ଷେପ ଯୋଗୁଁ ବନ୍ଦ ରହିଥିବା ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ବିଲ୍ଡିଂ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ନିର୍ମାଣ ଆରମ୍ଭର କିଛିଦିନ ପରେ ହଠାତ୍ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଗଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଦଶରଥପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସଙ୍କ ନେତୃତ୍ୱରେ ଏକ ପ୍ରତନିଧି ଦଳ ଭୁବନେଶ୍ୱର ବାସଭବନରେ ବିଜେପି ନେତା ଗୌତମ ରାୟଙ୍କୁ ଭେଟି ସ୍ବାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ ଥିବାର ଜଣାଇ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାକୁ ଅନୁରୋଧ କରିଥିଲେ। ପୁରୁଣା ସ୍ବାସ୍ଥ୍ୟ କେନ୍ଦ୍ର ଗୃହ ଭଙ୍ଗା ଯିବା ପରେ ନୂତନ ବିଲ୍ଡିଂ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ନାନାଦି ସମସ୍ୟା ଉପୁଜୁଛି। ବାସ୍ତବତା ଅନୁଭବ କରି ଶ୍ରୀରାୟ ବିଭାଗୀୟ ଅଧିକାରୀ ଓ ନିର୍ମାଣ ଦାୟିତ୍ଵରେ ଥିବା ଠିକା ସଂସ୍ଥା ସହ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ର ବିଲ୍ଦିଂ ନିର୍ମାଣରେ ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀରାୟ ଚେତେଇବା ସହ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଉଦ୍ୟମ କରିବେ ବୋଲି ରୋକ୍ ଠୋକ୍ କହିଥିଲେ। ସେ ଯାହାହେଉ ନା କାହିଁକି ଏବେ ବନ୍ଦ ରହିଥିବା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟଯେ ଯାଜପୁର ବିଧାନସଭା ଅନ୍ତର୍ଗତ ଦଶରଥପୁର ବ୍ଲକ୍ ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନୂତନ ବିଲଡିଙ୍ଗର କାମ ଆରମ୍ଭ ହୋଇଥଲା। ମଙ୍ଗଳପୁର, ବିଂଝାରପୁର ସମେତ ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ବିଲ୍ଡିଂ ନିର୍ମାଣ ପାଇଁ ସରକାର ପ୍ରାୟ ୮ କୋଟି ଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରିଥିଲେ। ଇତିମଧ୍ୟରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ତିନି ମହଲା ଅଟ୍ଟାଳିକା ନିର୍ମାଣ ସଂପୂର୍ଣ୍ଣ ହେବାକୁ ଯାଉଛି। ମାତ୍ର ରାଜନେତାଙ୍କ ଅହେତୁକ ଚାପ, ଇଚ୍ଛା ଶକ୍ତିର ଅଭାବ ଓ ବିଭାଗର ବାରମ୍ବାର ପ୍ରକଳ୍ପର ଡିଜାଇନ୍ ଓ ପ୍ଲାନ୍ ପରିବର୍ତ୍ତନ ପାଇଁ ନିର୍ମାଣ କାର୍ଯ୍ୟ ଆଗକୁ ବଢି ପାରି ନଥିଲା ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ। ଚୁକ୍ତିନାମା ସତ୍ଟେତ୍ୱେ ଣ୍ଡର ହାତେଇ ଥିବା ଠିକା ସଂସ୍ଥା ଜେପି କନଷ୍ଟକସନ ପୁର୍ବ ଅଟକଳରେ କାର୍ଯ୍ୟ କରିବାକୁ ଅସମର୍ଥ ଦର୍ଶାଇ କାମରୁ ଓହରି ଯିବାକୁ ଲିଖିତ ଭାବରେ ଜଣାଇ ଥିଲା। ଫଳରେ ନିର୍ମାଣ କାର୍ଯ୍ୟ ଅଟକି ଯାଇଥିଲା। ପୁର୍ବରୁ ୨୦୦୪ ମସିହାରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୌତମ ରାୟ ଅଞ୍ଚଳ ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ। ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ପରବର୍ତ୍ତୀ ସମୟରେ ସିଏସଆର ଅନୁଦାନରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଥିଲା । ୧୭ ବର୍ଷ ପରେ ଏହାର ଉନ୍ନତିକରଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ୩ ବର୍ଷ ତଳେ ପ୍ରାୟ ୮ କୋଟି ଟଙ୍କା ମଞ୍ଜୁର କରିଥିଲେ। ମାତ୍ର ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ସ୍ବାସ୍ଥ୍ୟ ବିଭାଗର ଘନ ଘନ ପ୍ରକଳ୍ପର ଡିଜାଇନ୍, ପ୍ଲାନ୍ ପରିବର୍ତ୍ତନ ଯୋଗୁଁ ପୁରୁଣା ଅଟକଳରେ ପ୍ରକଳ୍ପ ନିର୍ମାଣ ସମ୍ଭବ ନୁହେଁ ବୋଲି ଠିକା ସଂସ୍ଥା ଜଣାଇ ଓହରି ଯାଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପୁରୁଣା ଘର ଭଙ୍ଗା ଗଲା। ମାତ୍ର ନୂଆ ବିଲ୍ଡିଂ ନିର୍ମାଣ କେତେକ କାରଣ ଯୋଗୁଁ ଅଟକି ଗଲା। ଫଳରେ ନାନାଦି ଅସୁବିଧା ଉପୁଜିଲା। ପ୍ରତିକାର ପାଇଁ ଝୁମ୍ପୁରି ବଜାର କମିଟି କର୍ମକର୍ତ୍ତା, ସଦସ୍ୟ ଓ ଅଞ୍ଚଳର ବୁଦ୍ଧିଜୀବିଙ୍କୁ ନେଇ ଏକ ବୈଠକ ପ୍ରାକ୍ତନ ସରପଞ୍ଚ ଇନ୍ଦ୍ରଜିତ ଦାସଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ତୁରନ୍ତ ନିର୍ମାଣ ପାଇଁ ବୈଠକରେ ଦାବି ହୋଇଥିଲା । ତତ୍କାଳୀନ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ମୁଖ୍ୟ ଅତିଥି ଭାବରେ ଏହି ବୈଠକରେ ଯୋଗ ଦେଇଥିଲେ। ଅଞ୍ଚଳ ବାସୀଙ୍କ ନ୍ୟାର୍ଯ୍ୟ ଦାବି ପୁରଣ ପାଇଁ ସେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ଶ୍ରୀରାୟ ବିଭାଗୀୟ ମନ୍ତ୍ରୀ ଓ ପୂର୍ତ୍ତ ବିଭାଗ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ଥିଲେ। ଶେଷରେ ପ୍ରକଳ୍ପ ନିର୍ମାଣରେ ଥିବା ଅଚଳାବସ୍ଥା ଦୂର କରିବାରେ ଶ୍ରୀରାୟ ସକ୍ଷମ ହୋଇଥିଲେ। ଠିକା ସଂସ୍ଥାକୁ ଡକାଯାଇ ବିସ୍ତୃତ ଆଲୋଚନା ପରେ ଅଟକଳରେ ରାଶି ବୃଦ୍ଧି କରାଯିବ ବୋଲି ବିଭାଗ କହିଥିଲା। ପ୍ରକଳ୍ପ ନିର୍ମାଣରେ ସ୍ଥାନୀୟ ଜନତା, ପ୍ରଶାସନ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ସଭାପତି ଶ୍ରୀରାୟ ଓ ଦଶରଥପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଠିକା ସଂସ୍ଥା ପ୍ରକଳ୍ପ ନିର୍ମାଣ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ସାଧାରଣରେ ଖୁସି ପ୍ରକାଶ ପାଇଥିଲା। ଠିକା ସଂସ୍ଥା ଜେପି କନଷ୍ଟକସନକୁ ସମସ୍ତ୍ ସହଯୋଗ ସ୍ଥାନୀୟ ଲୋକେ ଯୋଗାଇ ଦେବେ ବୋଲି ପ୍ରାକ୍ତନ ସରପଞ୍ଚ ଶ୍ରୀଦାସ କହିଥିଲେ। ମାତ୍ର ନିର୍ମାଣ ଆରମ୍ଭର ୩ ମାସରୁ ଅଧିକ ସମୟ ଅତିକ୍ରାନ୍ତ ସତ୍ତ୍ଵେ କାମରେ ଆଖି ଦୂର୍ଶିଆ ଅଗ୍ରଗତି ଘଟୁନି। ଏବେ କାମ ପୁଣି ବନ୍ଦ ରହିଛି। ନୂତନ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଭୂଇଁରୁ ଉଠି ପାରିନି। ନିର୍ମାଣ କାର୍ଯ୍ୟ ମଝିରେ ମଝିରେ ବନ୍ଦ ରହିବା ଓ ଅଗ୍ରଗତି ତ୍ୱରାନ୍ୱିତ ନ ହେବା ନେଇ କାହାରି ପାଖରେ ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ଏପଟେ କୋଠରୀ ଅଭାବରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ମେଡିକାଲ ଅଧିକାରୀ ଡାକ୍ତର ଅନୁସୟା ଜେନା କହିବା ସହ ସ୍ବାସ୍ଥ୍ୟ କେନ୍ଦ୍ର ଟି ଡାକ୍ତର, କର୍ମଚାରୀ ଅଭାବରୁ ମଧ୍ଯ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ନାକେଦମ ହେବାକୁ ପଡୁଛି। ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ସତ ତେବେ ଯୁଦ୍ଧକାଳୀନ ଭିତ୍ତିରେ ଏହା କରାଯିବାକୁ ସାଧାରଣରେ ଦାବି ହେଉଛି।