- ଭଙ୍ଗା ଘରେ ବିପଦପୂର୍ଣ୍ଣ ଜୀବନ
- ନାହିଁ ଭୋଟର କାର୍ଡ କିମ୍ବା ଆଧାର କାର୍ଡ
- ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା କି ମିଳିନାହିଁ ଆବାସ ଘର
କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : ସରକାର ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି, କାହା ପାଖକୁ ସରକାରୀ ଯୋଜନା ଗୁଡିକ ସହଜରେ ପହଞ୍ଚି ଯାଉଛି ତ’ କାହା ପାଖରେ ଅପହଞ୍ଚ ହୋଇ ଯାଉଛି। ଅନେକ ପ୍ରକୃତ ହିତାଧିକାରୀଙ୍କ ପାଖକୁ ଜନ ହିତକର ଯୋଜନା ପହଞ୍ଚି ପାରୁଛି କି ନାହିଁ ତାହା ଦେଖିବାକୁ କାହାରି ଆନ୍ତରିକତା ନାହିଁ। ଫଳରେ ଯୋଜନାର ସୁଫଳରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇ ଯାଉଛନ୍ତି। ଏଭଳି ଏକ ପରିବାର ରହିଛନ୍ତି, ଯେଉଁ ମାନଙ୍କ ପାଖକୁ କୌଣସି ସରକାରୀ ଯୋଜନା ପହଞ୍ଚି ପାରିନାହିଁ। ସବୁଥିରୁ ବଞ୍ଚିତ ହୋଇ ଏବେ ଦୟନୀୟ ଜୀବନ ଅତିବାହିତ କରିବାରେ ଲାଗିଛନ୍ତି। ଏମାନଙ୍କ ଦୁଃଖର କାହାଣୀ ପ୍ରତି କାହାରି କର୍ଣ୍ଣ ଗୋଚର ହେଉନାହିଁ। ରାଜନେତା, ସରକାରୀ ବାବୁ ମାନଙ୍କ ପାଖକୁ ଦୌଡ଼ି ଦୌଡି ନିରାଶ ହେବା ପରେ ଏବେ ସେମାନେ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ପଞ୍ଚାୟତ ଅନ୍ତର୍ଗତ ଦୋଲକିବନ୍ଧ ଚଞ୍ଚରାପଡା, ଏକ ଅର୍ଦ୍ଧ ଭଗ୍ନ ଘରେ, ଛୋଟ ପ୍ରକୋଷ୍ଠ ଭିତରେ ପଡି ରହିଛି ୭୦ରୁ ଅଧିକ ବର୍ଷର ତ୍ରିନାଥ ବାଣୁଆ ନାମକ ଜଣେ ବୃଦ୍ଧ। ଆଖିକୁ ଦେଖାଯାଉ ନାହିଁ, କାନକୁ ଶୁଣାଯାଉ ନାହିଁ, ମନକୁ ମନ ବାଉଳି ଚାଉଲି ହେଉଥାଏ। ତାଙ୍କର ଦୁଃଖଦ ବଖାଣି ଥିଲେ ସେହି ଗ୍ରାମର ଯୁବ ସମାଜ ସେବୀ ଶିବ ଶଙ୍କର ମହାରଣା, ଏନେଇ ଶ୍ରୀମହାରଣା କହିଥିଲେ ଯେ ଦୀର୍ଘ ୩୫ବର୍ଷ ତଲେ ତ୍ରିନାଥ ବାଣୁଆ ଜୁନାଗଡ ବ୍ଲକ ମାଟିଗାଁରୁ ଆସି ଏଠାରେ ବିବାହ କରିବା ସହିତ ନିଜସ୍ୱ ଉଦ୍ୟମରେ ଏକ କୁଡ଼ିଆ ନିର୍ମାଣ କରି ରହି ଆସୁଛନ୍ତି, ତ୍ରିନାଥ ବାଣୁଆ ପରିବାର କହିଲେ ସ୍ଵାମୀ ସ୍ତ୍ରୀ ଓ ଏକମାତ୍ର ଝିଅ, ସ୍ତ୍ରୀଙ୍କ ଦେହାନ୍ତ ପରେ ଝିଅ ସସ୍ମିତା ବାଣୁଆ ଉଭୟେ ରହି ଆସୁଥିଲେ, ଝିଅ ସସ୍ମିତା ମଧ୍ୟ ଟିକିଏ ମାନସିକ ଅନଗ୍ରସର ହେତୁ ନବରଙ୍ଗପୁର ଅଞ୍ଚଳର ଏକ ଯୁବକଙ୍କୁ ବିବାହ ଦେଇ ନିଜ ଘରେ ରଖିଲେ, ଝିଅ ଓ ଜ୍ୱାଇଁଙ୍କ ଔରସରୁ ଦୁଟି ସନ୍ତାନ ଜନ୍ମ ହୋଇ ଆରପାରିକୁ ଚାଲିଗଲେ। ଏବେ ବୃଦ୍ଧ ବାପା ଓ ଝିଅ ଜ୍ୱାଇଁ ସେହି ଭଙ୍ଗା ଦଦରା ଘରେ କାଳାତିପାତ କରି ଆସୁଛନ୍ତି। ସେମାନଙ୍କ ପାଖରେ ଆଧାରକାର୍ଡ ନାହିଁ, ଭୋଟର କାର୍ଡ ନାହିଁ, ଫଳରେ ଆବାସ ଘର, ଭତ୍ତା ସବୁଥିରୁ ବଞ୍ଚିତ ହୋଇଛନ୍ତି। ଏଭଳି କି ସେମାନଙ୍କ ପାଖରେ ରାସନ କାର୍ଡ ମଧ୍ୟ ନ ଥିବାରୁ ଚାଉଳ ଗଣ୍ଡିଏ ମଧ୍ୟ ପାଇ ପାରୁ ନାହାନ୍ତି। ଏନେଇ ଆମ୍ଭେ କଲମପୁର ବିଡିଓ, ସରପଞ୍ଚ ସମେତ ବିଭିନ୍ନ ରାଜନେତା ତଥା ଜନ ପ୍ରତିନିଧି ମାନଙ୍କୁ ଜଣାଇ ଆସୁଛୁ ହେଲେ କିଛି ସୁଫଳ ଏପର୍ଯ୍ୟନ୍ତ ମିଳିନାହିଁ। ପଞ୍ଚାୟତ ଦୟା ଦେଖାଇ ମାସକୁ ପାଞ୍ଚ କେଜି ଚାଉଳ ଦେଉଛି, ଯାହାକୁ ସେମାନେ ଚଳିବା କଷ୍ଟକର ହୋଇ ପଡ଼ିଛି, ଏଥିପାଇଁ ସେମାନେ ବେଳେ ବେଳେ ଭୋକ ଉପାସରେ କାଳ କାଟୁଛନ୍ତି। ସେମାନଙ୍କ ଭୋକର ବିକଳ ଦେଖି ନପାରି ସାହି ପଡିଶା ଲୋକେ କେବେ କେମିତି ରନ୍ଧା ଖାଦ୍ୟ ଦେଇଥାନ୍ତି ବୋଲି ପ୍ରକାଶ କରିଛନ୍ତି। ପାଖ ପଡିଶା ଲୋକେ କହିଥିଲେ ବୁଢ଼ା ମରିବାକୁ ବସିଲାଣି ଭତ୍ତା ଖଣ୍ଡିଏ ମିଲିପାରି ନ ଥିବା ବେଳେ ଚାଉଳ ଟିକକ ବି ମିଲି ପାରୁନାହିଁ। ଏନେଇ କଲମପୁର ବିଡିଓ ବିଜୟ ମାଣ୍ଡାଙ୍ଗିଙ୍କୁ ପଚାରିବାରୁ ଏ ବିଷୟରେ ମୁଁ ଜାଣି ନାହିଁ, କି ଖବର ମଧ୍ୟ ପାଇ ନାହିଁ , ମୋ ନଜର କୁ ଆସିଛି, ଏହାରି ଉପରେ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।