ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସରକାର ଦେଶର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ସ୍ବତନ୍ତ୍ର ବିଭାଗ ମଧ୍ୟ କାର୍ଯ୍ୟ କରୁଛି। ହେଲେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ବିଶୁଦ୍ଧ ପାଣି ସାଧାରଣ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି। ଲୋକେ ଚିରାଚରିତ ଅବସ୍ଥାରେ ଦୂଷିତ ନାଳ ଝରଣାର ପାଣି ବ୍ୟବହାର କରୁଛନ୍ତି ଏବଂ ବିଭିନ୍ନ ରୋଗରେ ପିଡୀତ ହେଉଛନ୍ତି। ସରକାରଙ୍କ ବ୍ୟବସ୍ଥା ମଧ୍ୟରେ କେଉଁଠି ନଳକୂପ ଅଛି ତ ପାଣି ନାହିଁ ତ ପୁଣି କେଉଁଠି ପାଣି ଅଛି ହେଲେ ବ୍ୟବସ୍ଥିତ ଯୋଜନା ନାହିଁ। ବସୁଧା ଯୋଜନା ଭଳି ଲକ୍ଷ ଲକ୍ଷ ଟଙ୍କାର ଅନେକ ପ୍ରକଳ୍ପ ନିର୍ମାଣ କରାଯାଉଛି ହେଲେ ସେଗୁଡିକ ମଧ୍ୟ କିଛି ଇଲାକାରେ ପ୍ରହସନ ପାଲଟିଛି। ଯାହାର ଉଦାହରଣ ପ୍ରାୟତଃ ଗ୍ରାମାଞ୍ଚଳରେ ରହିଥିବା ଅନେକ ନଜିର ରହିଛି।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତର ପୋଖରୀଗୁଡା ଗ୍ରାମର ଭଟାଗୁଡା ପଡାରେ ଏଭଳି ସମସ୍ୟା ଦୀର୍ଘ ବର୍ଷରୁ ରହି ଆସିଛି ।ଏଠାରେ ଉତ୍କଟ ରୂପ ନେଇଛି ପାନୀୟଜଳ ସମସ୍ୟା ।ଶତାଧିକ ପରିବାର ବସବାସ କରୁଥିବା ଏହି ପଡାରେ ସରକାର ୩ ଗୋଟି ନଳକୂପ ବ୍ୟବସ୍ଥା କରିଛନ୍ତି।ତନ୍ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଥିବା ବେଳେ ଅନ୍ୟ ଦୁଇଟି ନଳକୂପରୁ ଆବଶ୍ୟକତା ଅନୁଯାୟୀ ପାଣି ଯୋଗାଇବାରେ ବିଫଳ ଥିବା ଜଣାପଡିଛି।ଫଳରେ ନିକଟ ନାଳ ଝରଣାର ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ପଡାବାସୀ।ବିଶୁଦ୍ଧ ପାଣି ଟୋପାଏ ପାଇଁ ହନ୍ତସନ୍ତ ପଡାବାସୀଙ୍କ ଜୀବନ। ଦୀର୍ଘ ବର୍ଷରୁ ଏହି ସମସ୍ୟା ରହିଆସିଥିଲେ ମଧ୍ୟ ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ବିକଳ୍ପ ପଦକ୍ଷେପ ନିଆଯାଇନଥିବା ଜଣାପଡିଛି। ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ପ୍ରଶାସନର ଚରମ ଅବହେଳା ରହିଥିବା ପ୍ରକାଶ କରିଛନ୍ତି ପଡାବାସୀ।ପାଣି ପାଇଁ ଡହଳ ବିକଳ ହେଉଥିବା ପଡାର ମହିଳା ମାନେ ସୋମବାର ଥୁଆମୂଳ ରାମପୁର ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ପାନୀୟଜଳର ଅସହ୍ୟ ଯନ୍ତ୍ରଣାରେ ଛଟପଟ ଭଟାଗୁଡା ପଡାବାସୀଙ୍କ ଦୁର୍ଦ୍ଦଶାକୁ ବ୍ଲକ ପ୍ରଶାସନ କେବେ ଦୂର କରୁଛନ୍ତି ତାହା ଦେଖିବା ବାକି ରହିଲା।