କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ପଞ୍ଚାୟତ ଦୋଲକିବନ୍ଧ ଚଞ୍ଚରାପଡାର ତ୍ରିନାଥ ବାଣୁଆଙ୍କ ବିଷୟରେ ସବୁ ସରକାରୀ ଯୋଜନାରୁ ବଞ୍ଚିତ ଶିର୍ଷକ ଲେଖା ବିଭିନ୍ନ ଖବରକାଗଜ ପ୍ରକାଶିତ ହୋଇଥିଲା। ଖବର ପ୍ରସାରଣପରେ କଲମପୁର ବିଡିଓଙ୍କ ନିର୍ଦ୍ଦେଶରେ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ଭତ୍ତା ଫର୍ମ ନେଇ ତ୍ରିନାଥ ବାଣୁଆ ପରିବାର ପାଖରେ ପହଞ୍ଚି ଟିପ ଚିହ୍ନ ନେଇ ଆସିଥିଲେ। ଏଥି ସହିତ ଶିଘ୍ର ଭତ୍ତା ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସେହିଭଳି ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଅଫିସ ସୁପରଭାଇଜର, ବଡକୁଟୃ ଆରଆଇ ଯାଇ ତଦନ୍ତ ରିପୋର୍ଟ ସଂଗ୍ରହ କରିଥିଲେ। ଏଥି ସହିତ ସେମାନେ ଘରଡିହ ଯୋଗାଇ ଦେବାକୁ କହିଥିଲେ। ପରବର୍ତ୍ତୀ ସମୟରେ ବିଜମରା ଯୋଗାଣ ସହାୟକ ମଧ୍ୟ ତ୍ରିନାଥଙ୍କ ପରିବାରକୁ ଅନ୍ତୋଦୟ ଯୋଜନାରେ ସାମିଲ କରିବାକୁ ବ୍ୟବସ୍ଥା କରିଥିଲେ, ଯଦିଓ ତ୍ରିନାଥ ବାଣୁଆଙ୍କ ପରିବାର ନିକଟକୁ ବିଡିଓ ବିଜୟ ମାଣ୍ଡାଙ୍ଗି ପହଞ୍ଚି ନ ଥିଲେ ମଧ୍ୟ ସବୁ ଖବର ଉପରେ ନଜର ରଖିଥିଲେ। ଆଜି କୋଟାଗାଁ ଠାରେ ପଞ୍ଚାୟତ ସ୍ତରୀୟ ବିକଶିତ ବାହନ ଯାତ୍ରା କାର୍ଯ୍ୟକ୍ରମରେ ତ୍ରିନାଥଙ୍କ ବିଷୟରେ ବିଡିଓ ଶ୍ରୀମାଣ୍ଡାଙ୍ଗି ଯୋଗଦେଇ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ସେଥିରେ ବିଡିଓ ଶ୍ରୀ ମାଣ୍ଡାଙ୍ଗି କହିଥିଲେ ଯେ ବିଜମରା ପଞ୍ଚାୟତ ଅଧୀନ ଦୋଲକିବନ୍ଧ ଚଞ୍ଚରାପଡାର ତ୍ରିନାଥ ବାଣୁଆଙ୍କ ଘଟଣା ଗଣମାଧ୍ୟମରୁ ଜାଣିବାକୁ ମିଳିଛି। ଏଭଳି ଘଟଣା ଲୋକଲୋଚନକୁ ଆଣି ଥିବାରୁ ମୁଁ ଆନ୍ତରିକତାର ସହିତ ଗଣମାଧ୍ୟମକୁ ସାଧୁବାଦ ଜଣାଉଛି, ସେ ଆହୁରି କହିଥିଲେ ଚଞ୍ଚରାପଡାର ତ୍ରିନାଥ ବାଣୁଆ ୭୦ ବର୍ଷରୁ ଅଧିକ ହେଲାଣି ଦୟନୀୟ ଭାବେ ପଡି ରହିଛନ୍ତି, ଘର ଭଗ୍ନ ଅବସ୍ଥାରେ ରହିଥିବା ବେଳେ ସେମାନଙ୍କ ପାଖରେ ଭୋଟ କାର୍ଡ ଆଧାର କାର୍ଡ ବୋଲି କିଛି ନାହିଁ, ତାଙ୍କରି ଆଖିକୁ ଦେଖାଯାଉ ନ ଥିବା ବେଳେ କାନକୁ ମଧ୍ୟ ଶୁଭାଯାଉ ନାହିଁ, ଆବାସ ଘର, ଭତ୍ତା, ରାସନ ସବୁଥିରୁ ସେମାନେ ବଞ୍ଚିତ ହୋଇ ଆସୁଛନ୍ତି। ଆମେ ଗଣମାଧ୍ୟମରୁ ସୂଚନା ପାଇବା ପରେ ଆମଲୋକ ଯାଇ ତଦନ୍ତ କରି ଆସିଛନ୍ତି । ଆମେ ସେମାନଙ୍କୁ ଆସନ୍ତା ୧୭ ତାରିଖ ଦିନ ବିଜମରା ପଞ୍ଚାୟତରେ ଆୟୋଜିତ ବିକଶିତ ବାହନ ଯାତ୍ରା କାର୍ଯ୍ୟକ୍ରମରେ ତ୍ରିନାଥ ବାଣୁଆଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଦେବୁ। ଏଥି ସହିତ ଭତ୍ତା ଓ ଅନ୍ତୋଦୟ ଯୋଜନାରେ ରାସନ ସାମଗ୍ରୀ ଯୋଗାଇ ଦେବୁ ବୋଲି ଘୋଷଣା କରିଥିଲେ, ସୂଚନା ଯେ ଏହି ବିଷୟକୁ ନେଇ ସେହି ଗ୍ରାମର ସାମାଜିକ କର୍ମୀ ଶିବ ଶଙ୍କର ମହାରଣା ଅନେକ ପଦାଧିକାରୀ ଓ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ, ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ସୁଫଳ ମିଳିନଥିଲା। ଶେଷରେ ସେ ଗଣ ମାଧ୍ୟମର ସହାୟତା ଲୋଡ଼ିଥିଲେ। ଗଣମାଧ୍ୟମ ପ୍ରତିନିଧି ତ୍ରିନାଥଙ୍କ ସମସ୍ୟା ବିଷୟରେ ପ୍ରସାରଣ କରିବାପରେ ବିଭାଗ ପକ୍ଷରୁ ତପ୍ତରତା ଦେଖାଇଥିଲେ।