କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଚାଷ ଜମି ନିକଟରୁ କିଛି ଦୂର ବ୍ୟବଧାନରେ କେନାଲ ଯାଇଛି ସତ। ହେଲେ ଜମିକୁ ମାଡୁନାହିଁ ପାଣି। ଏମିତିରେ ଚାଷୀ ପ୍ରତିବର୍ଷ ଜଳକର ଭରୁଛନ୍ତି। ତେବେ କେନାଲରୁ କ୍ଷେତକୁ ପାଣି ଦେବାକୁ ବାରମ୍ବାର ଅଭିଯୋଗ କରିଛନ୍ତି ଚାଷୀ, ହେଲେ ଶୁଣିଲେନି ସରକାର କି ପ୍ରଶାସନ। ଶେଷରେ ନିଜ ଉଦ୍ୟମରେ କୋନାଲ ଖୋଲିଛନ୍ତି କୋକସରା ବ୍ଲକ ଟେମରା ଅଞ୍ଚଳର ଚାଷୀ। ସୂଚନା ଯେ’ କୋକସରା କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଅଧିନରେ ରହିଛି ବେହେରା ଡ଼୍ୟାମ। ଏହି ଡ଼୍ୟାମର ବାମ କେନାଲରୁ ମହିମା, ଟେମରା ଆଦି ଅଞ୍ଚଳର ଚାଷୀମାନେ ଖରିଫ ସମୟରେ ପାଣି ପାଉଛନ୍ତି। ହେଲେ ଭୁର୍ଷାଗୁଡା ମହାଭାରତ ପଡ଼ିଆଠାରୁ ଟେମରା ପଞ୍ଚାୟତ ଖୁର୍ସେଲଗୁଡାର ଚାଷୀଙ୍କ ଜମିକୁ ପାଣି ମାଡ଼ି ପାରୁନାହିଁ। ତଥାପି ଚାଷିମାନେ ପ୍ରତିବର୍ଷ ଜଳକର ଦେଇ ଆସୁଛନ୍ତି। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ କେନାଲ ମରାମତି କରିବା ପାଇଁ ସମ୍ପୃକ୍ତ ବିଭାଗକୁ ବାରମ୍ବାର ଦାବି କରିଛନ୍ତି। ହେଲେ ଏଠାରେ ଚାଷୀମାନଙ୍କ କଥାକୁ ଗୁରୁତ୍ଵ ଦିଆଯାଇ ନାହିଁ। ଶେଷରେ ନିରାଶ ଚାଷୀମାନେ ଗାଁରେ ଏକ ବୈଠକ କରି ଚାନ୍ଦା ଆଦାୟ କରି କେନାଲ ଖୋଲିଛନ୍ତି। ଗତ ୩ ଦିନ ଧରି ଚାଷୀମାନେ ଜେସିବି ଲଗାଇ ମାଟି ଖୋଲି ନିଜ ଉଦ୍ୟମରେ କେନାଲ ତିଆରି କରି ପ୍ରଶାସନକୁ ଦେଖାଇ ଦେଇଛନ୍ତି। ଏହି କେନାଲ ଫଳରେ ପ୍ରାୟ ୨ ଶହ ହେକ୍ଟର ଜମିରେ ପାଣି ମାଢ଼ିବ ବୋଲି ଚାଷୀମାନେ ଦାବି କରିଛନ୍ତି। ଏହି ଅଞ୍ଚଳର ଲୋକେ ଚାଷ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି। ହେଲେ ପାଣି ଅଭାବରୁ ପ୍ରତିବର୍ଷ ଆରମ୍ଭରେ ଗଜା ମରୁଡିର ସମ୍ମୁଖୀନ ହୋଇଥାନ୍ତି। ଯେମିତି ସେମିତି ଗଜା ବଞ୍ଚାଇଲେ ମଧ୍ୟ ନିଅଣ୍ଟିଆ ବର୍ଷା ଯୋଗୁଁ ଠିକ୍ ସମୟରେ ମରୁଡିର ସମ୍ମୁଖୀନ ହୋଇ କଷ୍ଟ ସହି ଆସୁଛନ୍ତି। ଏମିତିରେ ଜମି ଉପରେ ଯାଇଥିବା କେନାଲକୁ ସେମାନେ ଭରସା କରନ୍ତି। ଚାଷୀମାନେ ନିଜ ଉଦ୍ୟାମରେ କିଛି ଦୂର କେନାଲ ଖୋଲିଛନ୍ତି। କିନ୍ତୁ ତାହା ସବୁଦିନିଆ ସୁବିଧା ନିମନ୍ତେ କେନାଲ ତିଆରି ହେବା ଲାଗି ପ୍ରଶାସନ ଦୃଷ୍ଟି ଦିଅନ୍ତୁ, କିମ୍ବା ବିନା ପାଣିରେ ଜଲକର ବନ୍ଦ କରିବା ପାଇଁ ଚାଷୀ ଦୁଷ୍ମନ୍ତ କୁମାର ପାତ୍ର, ଯଦୁମଣି ବାଗ, କେଶର ପୁଝାରୀ, ଅଙ୍କୁର ମାଝୀ, ଶ୍ୟାମ ପାଲି, ଲିଙ୍ଗରାଜ ଲଦୁଆ, ହେମନ୍ତ ପୁଝାରୀ, ମଦନ ଲଦୁଆ, ଡମ୍ବରୁଧର ବେହେରା, ଅଶେଶ୍ବର ବେହେରା, ରୁକଧର ପାଲି, ପୁଷ୍ତମ ବେହେରା, ସାଧୁ ରାମ ପାଲି, ଅଶୋକ ବେହେରା, କୈବଲ୍ୟ ବେହେରା ପ୍ରମୁଖ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚାଷୀମାନେ ଚେତାବନୀ ଦେଇଛନ୍ତି। ଏନେଇ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗର ଯନ୍ତ୍ରୀ ହିମାଂଶୁ ଶେଖର ଦାସଙ୍କୁ ପଚାରିବାରୁ ଚାଷୀ କରିଥିବା କେନାଲ ଆମ ବିଭାଗ ଅଧିନରେ ରହିଛି କି ନାହିଁ ଆମେ ସେଠାକୁ ଯାଇ ଦେଖିଲା ପରେ ଜଣାପଡ଼ିବ ବୋଲି କହିଛନ୍ତି। ସେହିପରି କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କୁ ପଚାରିବାରୁ ଆର୍ ଆଇଙ୍କୁ ପଠାଇ ରିପୋର୍ଟ ସଂଗ୍ରହ କରାଯିବ ବୋଲି କହିଛନ୍ତି।