ମହଙ୍ଗା ପଡିଲା ଲୋକଙ୍କୁ ବାଟରେ ଅଟକାଇ ଡକାୟତି ; ୩ ଡ଼କାୟତ ଗିରଫ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଥାନା ଅନ୍ତର୍ଗତ ପେରମଞ୍ଜି ରାସ୍ତାରେ ଲୋକଙ୍କୁ ଛୁରି ଦେଖାଇ ଡ଼କାୟତି କରି ଲୁଟ କରିବା ଅଭିଯୋଗରେ କର୍ଲାପାଟ ପୋଲିସ ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ କୋର୍ଟ ଚାଳନା କରିଛି। ଗିରଫ ୩ ଜଣ ପୁଲିଂପଦର ଗ୍ରାମର ବୋଲି ଜଣାପଡିଛି।ଏମାନେ ହେଲେ ପ୍ରବୀଣ ମାଝୀ(୨୩),ଅକ୍ଷୟ ମାଝୀ(୨୦) ଏବଂ ରୋହିତ ମାଝୀ(୧୯)।ଏହି ତିନି ଜଣ ଯୁବକ ସାଇସୁରୁନି-ପେରମଞ୍ଜି ରାସ୍ତାର ହୁଁକାର୍ ସିଲ୍ ଘାଟିର ଜଙ୍ଗଲୀ ରାସ୍ତାରେ ଠିଆ ହୋଇ ଯିବା ଆସିବା ଲୋକଙ୍କୁ ଅଟକାଇବା ସହିତ ଛୁରି ଦେଖାଇ ଟଙ୍କା ପଇସା, ଗହଣା ଲୁଟ କରିବା ସହ ମାଡ଼ ମାରି ଲହୁଲୁହାଣ କରୁଥିଲେ। ଶୁକ୍ରବାର ସାଇସୁରୁନି ଗ୍ରାମର ମୋହନ ରେଲି ନାମକ ଜଣେ ଯୁବକ ଭବାନୀପାଟଣା ଠାରୁ ନିଜ ଗାଁକୁ ଫେରୁଥିବା ବେଳେ ଏଠାରେ ଅଟକାଇ ଲୁଟ୍ ଉଦ୍ୟମ କରିବା ସହିତ ମାଡ ମାରିଥିଲେ ଏବଂ ଧାରୁଆ ଅସ୍ତ୍ରରେ ମଧ୍ୟ ଆକ୍ରମଣ କରୁଥିବା ସମୟରେ ସ୍ଥାନୀୟ କିଛି ଯୁବକ ଦେଖି ତୁରନ୍ତ କର୍ଲାପାଟ ପୋଲିସକୁ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଆହତ ମୋହନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଏନେଇ ଗୁଣପୁର ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ବାମୀ କର୍ଲାପାଟ ଥାନାରେ ଅଭିଯୋଗ କରିଛନ୍ତି। କର୍ଲାପାଟ ପୁଲିସ କେଶ ନଂ୧୫/୨୫ ରେ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କର୍ଲାପାଟର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀକାନ୍ତ କାଲୁକା ଘଟଣାର ତଦନ୍ତ ଭାର ନେଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଥିବା ବେଳେ ବର୍ତ୍ତମାନର ଏଇ ଘଟଣା ପରେ ଯାତାୟତ କରୁଥିବା ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଉଥିବା ବେଳେ ପୋଲିସ ପେଟ୍ରୋଲିଂ ଜରୁରୀ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।