ଲଣ୍ଡା ପାହାଡ଼ ଓ ଖାଲି ସ୍ଥାନରେ ହେଉ ଚାରାରୋପଣ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଭୋଦେବ ଗଉଡ) : ପୂର୍ବେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଅନେକ ଡଙ୍ଗର, ପାହାଡ଼ ଆଜି ଲଣ୍ଡା ହୋଇପଡ଼ିଛି। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ଶ୍ରୀହିନ ହୋଇ ଯାଇଥିବା ପାହାଡ଼ ସହ ଖାଲି ସ୍ଥାନରେ ଚାରାରୋପଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ଅଞ୍ଚଳର ଅନେକ ସଚେତନ ନାଗରିକ। ନବରଙ୍ଗପୁର ପାଣିପାଗକୁ ସ୍ଥିର ରଖିବାରେ ଝରିଗାଁ ବ୍ଳକର ଅରଣ୍ଯ ସମ୍ପଦର ଭୂମିକା ଗୁରୁତ୍ବପୂର୍ଣ୍ଣ ଏହାର ଅନେକ ବଣଭୂମୀ ପଡ଼ୋଶୀ କଳାହାଣ୍ଡି ସହ ଡ଼ାବୁଗାଁ ଓ ଚନ୍ଦାହାଣ୍ଡି ବ୍ଲକ ସୀମାକୁ ସ୍ପର୍ଶ କରିଥାଏ। ଏହି ସଂରକ୍ଷିତ ଜଙ୍ଗଲରେ ୫୦୦ରୁ ଊର୍ଦ୍ଧ୍ବ ପ୍ରଜାତିର ଔଷଧିୟ ବୃକ୍ଷ ରହିଛି । ଏହାଛଡ଼ା ଅନ୍ୟାନ୍ୟ ଜଙ୍ଗଲ ମଧ୍ୟ ବିରଳ ପ୍ରଜାତିର ବୃକ୍ଷ ରାଜିରେ ପରିପୂର୍ଣ୍ଣ ଥିଲା। ରାଜ୍ୟ ସରକାର ଜଙ୍ଗଲର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ କେତେକ ଅସାଧୁ ବନ ବିଭାଗ କର୍ମଚାରୀମାନଙ୍କ ପାଇଁ ଗତ କିଛିବର୍ଷ ମଧ୍ୟରେ ଦ୍ରୁତ ଗତିରେ ଜଙ୍ଗଲ କ୍ଷୟ ହେବାରେ ଲାଗି ପରିଶେଷରେ ଅନେକ ଡଙ୍ଗର ପର୍ବତ ସମ୍ପୂର୍ଣ ପଦା ହୋଇଗଲା । କାଠ ମାପିଆଙ୍କ ଦୌରାମ୍ୟ ସହ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ ଉଦାସୀନତା ଜଙ୍ଗଲ କ୍ଷୟର ମୁଖ୍ୟକାରଣ ବୋଲି ଜଣାପଡ଼ିଛି । ଏବେ କିଛିବର୍ଷ ହେବ ସଂରକ୍ଷିତ ଜଙ୍ଗଲରେ ଅଣଓଡ଼ିଆ ବିହାରୀ ଓ ବଙ୍ଗାଳିମାନେ ଅବାଧରେ ପ୍ରବେଶ କରି ସ୍ଥାନୀୟ କିଛି ଲୋକଙ୍କୁ ମୋହରା କରି ହେକ୍ଟର ହେକ୍ଟର ଜାଗାରେ ଗଛ କାଟି ମକା ଚାଷ କରିବା ସହ ବିରି,କୋଳଥ ଓ ଅନେକ ବେଆଇନ ଚାଷ କରୁଛନ୍ତି। ଝରିଗାଁ ବନାଞ୍ଚଳ କାର୍ଯ୍ୟାଳୟଠାରୁ କିଛିଦୂର ବ୍ୟବଧାନରେ ଅଣ ଓଡ଼ିଆମାନେ ସ୍ଥାନୀୟ ଲୋକଙ୍କୁ ଲଗାଇ ବହୁ ମୂଲ୍ୟବାନ ଗଛ ଗୁଡ଼ିକୁ କଟାଇ ବେଧଡ଼କ ଭାବେ ଚାଷ କରି ଆସୁଛନ୍ତି । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ୫ଗୋଟି ସେକ୍ସନର କଙ୍ଗ୍ରା, ବରକିଭଟ୍ଟା, ଡୋକରିକୋଟ, ଭିତରକର୍ମରୀ, ବାହାରକର୍ମରୀ, ଜମକୋଟେ, ସର୍ଗିପାନି, ଦାହିମାଲ, କୁହୁଡି, କୁଆମ୍ବା, ମାଲଗାଁ, ଭାଳୁଡୋବା, ଇଚ୍ଛାପୁର, ଖଲିଆପାନି, କେବିଡି, ତେଲନଦୀ, ସାନଟେମରା, ବଡଟେମରା, ହାତୀବାଡି ଆଦି ସ୍ଥାନରେ ମକା ଚାଷ ହୋଇଥିବା ବେଳେ ବନ ବିଭାଗର ଅଧିକାରୀମାନଙ୍କୁ ଅଣ ଓଡ଼ିଆ ବିହାରୀ ଓ ବଙ୍ଗାଳୀମାନେ ମୋଟା ଅଙ୍କର ଟଙ୍କା ଦେଇ ଏହି ଅନୈତିକ କାର୍ଯ୍ୟ ଚଳାଇ ଆସୁଛନ୍ତି । ଏପଟେ ‘ଧର ଧର ଭଣ୍ଡାରିଆକୁ ଧର’ ନ୍ୟାୟରେ ବନ ବିଭାଗ ଲୋକ ଦେଖାଣିଆ ଭାବେ ଧରପଗଡ଼ କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଏଣେ ପ୍ରକୃତ ପକ୍ଷେ ଅନେକ ବନ ବିଭାଗ କର୍ମଚାରୀମାନେ ଜଙ୍ଗଲ କ୍ଷୟକୁ ପ୍ରୋତ୍ସାହନ ଦେଉଥିବା ପରି ଗୁରୁତ୍ବର ଅଭିଯୋଗ ହୋଇ ଆସୁଛି। କିନ୍ତୁ ବନ ବିଭାଗ କର୍ମଚାରୀ ଓ ଜଙ୍ଗଲ ମାଫିଆଙ୍କ ସଲାସୁତୁରା ଯୋଗୁଁ ଅମୂଲ୍ୟ ବୃକ୍ଷ ରାଜି ବଳି ପଡ଼ିବାରେ ଲାଗିଛି। ଯାହାର ଫଳ ସ୍ବରୂପ ଜଙ୍ଗଲରେ ଥିବା ଜୀବଜନ୍ତୁ ଜନବସତି ମୁହାଁ ହେଉଥିବା। ଏବଂ ଅନେକ ସମୟର ବର୍ଷା ଗାଏବ ହୋଇଯାଇଛି। ତେଣୁ ପରିବେଶକୁ ସନ୍ତୁଳିତ କରିବା ପାଇଁ ଲଣ୍ଡା ପାହାଡ଼ ଓ ଖାଲି ସ୍ଥାନ ମାନଙ୍କରେ ବ୍ୟାପକ ବନୀକରଣ କରିବା ଜରୁରୀ ହୋଇପଡ଼ିଛି।