ଦାରିଦ୍ର୍ୟ ଦୂରୀକରଣ ବିନା ବିକଶିତ ରାଷ୍ଟ୍ର ଏକ ସ୍ବପ୍ନ :  ସମାଜବାଦୀ ପାର୍ଟି ରାଜ୍ୟ ସଭାପତି

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଦାରିଦ୍ର୍ୟ ଦୂରୀକରଣ ବିନା ଦେଶ ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ। ଭାରତର ମୁଣ୍ଡପି ମୁଣ୍ଡପିଛା ଆୟ ଅତ୍ୟନ୍ତ ସ୍ଵଳ୍ପ । ଭାରତୀୟଙ୍କ ମୁଣ୍ଡପିଛା ବାର୍ଷିକ ଆୟ ୨୮୮୦ ଡଲାର ବା ୨.୪ଲକ୍ଷ ଟଙ୍କା। ବାସ୍ତବତା ହେଲା ପ୍ରତ୍ୟେକ ବ୍ୟକ୍ତିକୁ ଏହି ଆୟର ସୁଯୋଗ ମିଳେ ନାହିଁ ଏବଂ ଏହା ଏକ ହାରାହାରି ହିସାବ। ତେଣୁ ଭାରତରେ ଗରିବଙ୍କ ସଂଖ୍ୟା ଅଧିକ। ଲୋକସଂଖ୍ୟାରେ ବିଶ୍ଵର ଏକନମ୍ବର ଦେଶ ଭାରତରେ ଦାରିଦ୍ର୍ୟ, ଅସହାୟତା ଓ ବେକାରୀ ନୂଆ କଥା ନୁହେଁ । ତେଣୁ ଲୋକଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ନାନାଦି ସୁବିଧାସୁଯୋଗ ସରକାର ଯୋଗାଉଛନ୍ତି। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ଭତ୍ତାପ୍ରଦାନ, ସାମାଜିକ ନିରାପତ୍ତା, ଖାଦ୍ୟ ଓ ଅନ୍ୟାନ୍ୟ ବିଷୟ ଅନ୍ତର୍ଭୁକ୍ତ। ସମାଜ ମଙ୍ଗଳ ଓ ସାମାଜିକ ସୁରକ୍ଷା ପ୍ରତ୍ୟେକ ସରକାରର ଏକ ମୌଳିକ ଦାୟିତ୍ଵ । ଗଣତାନ୍ତ୍ରିକ ରାଷ୍ଟ୍ରର ଏଥିପାଇଁ ସରକାରଙ୍କ ଉପରେ ଅଧୂକ ଚାପ ପଡ଼ିଥାଏ। ଜାତିସଙ୍ଘର ବିଭିନ୍ନ ସଂସ୍ଥା ଓ ଭିନ୍ନଭିନ୍ନ ଆନ୍ତର୍ଜାତିକ ସଂଗଠନ ବିକାଶଶୀଳ ତଥା ଗରିବ ରାଷ୍ଟ୍ରମାନଙ୍କର ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ନିୟମିତ ଭାବେ ପର୍ଯ୍ୟବେକ୍ଷଣ କରି ଆବଶ୍ୟକ ସ୍ଥଳେ ମାର୍ଗଦର୍ଶନ ଓ ସହାୟତା ଦେଇଥାନ୍ତି। ଭାରତ ବିଶ୍ୱର ସବୁଠୁ ଦ୍ରୁତ ବିକାଶଶୀଳ ରାଷ୍ଟ୍ର। ଏହାର ଅର୍ଥନୀତି ମୋଟ ଜାତୀୟ ଆୟ (ଜିଡିପି ହିସାବରେ ଏବେ ବିଶ୍ଵରେ ଚତୁର୍ଥ । ଏହାର ଜିଡିପିର ଆକାର ଏବେ ୪.୧୯ ଟ୍ରିଲିୟନ ଡଲାର। ଏହା ଛଡ଼ା ୨୦୨୫ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୩ ଶତାଂଶ ରହିବ ବୋଲି ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ଧାରାକୁ ବଢ଼ାଇ ଭାରତ ଏ ବର୍ଷ ଶେଷ ସୁଦ୍ଧା ପାଞ୍ଚ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତିରେ ପରିଣତ ହେବ ବୋଲି ସରକାର କହୁଥିଲା ବେଳେ ଦେଶରେ ଦରିଦ୍ରତା ବଢ଼ି ବଢ଼ି ଚାଲିଛି। ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ର ଏକ ତଥ୍ୟ ଅନୁ ଅନୁସାରେ ଭାରତର ୬୪ ଶତାଂଶ ଅର୍ଥାତ୍ ୯୪ କୋଟି ଲୋକ କୌଣସି ନା କୌଣସି ସାମାଜିକ କଲ୍ୟାଣ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ। ୨୦୧୫ରେ ଦେଶର ମାତ୍ର ୧୯ ଶତାଂଶ ଲୋକ ଏହି ସୁବିଧା ପାଉଥିବାବେଳେ ଏବେ ତାହା ତିନି ଭାଗରୁ ଅଧିକ ହୋଇଛି। ଏଭଳି ସାମାଜିକ ସୁରକ୍ଷା ଯୋଗାଣରେ ଭାରତର ସ୍ଥାନ ଏବେ ବିଶ୍ୱରେ ଚୀନ୍ ପରେ ଦ୍ଵିତୀୟ। ଭାରତରେ ୮୦ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ମାଗଣା ଖାଦ୍ୟ ସହ ଗରିବ ଓ ଅସହାୟ ବୟସ୍କଙ୍କୁ ବିଭିନ୍ନ ସରକାରୀ ସହାୟତା ମିଳୁଛି। ଏହା ଦ୍ୱାରା ବ୍ୟକ୍ତିର ଶ୍ରମ ଶକ୍ତିର ଅପଚୟ ହେଉଛି। ରାଜକୋଷର ଅର୍ଥ ଲୁଟ ହେଉଛି, ଦୁର୍ନୀତି ବଢୁଛି। ଏହାକୁ ନେଇ ଅତୀତରେ ସୁପ୍ରିମ କୋର୍ଟ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ଛଡ଼ା ଗତ ଆଠବର୍ଷ ମଧ୍ୟରେ ବେକାରୀ ୬.୬ ଶତାଂଶରୁ ଏବେ ୯.୨% ରେ ପହଂଚି ଗଲାଣି। ଦାରିଦ୍ର୍ୟ ହାର ମଧ୍ଯ କମ ହୋଇନି ଯାହା ଆମର ବିକଶିତ ରାଷ୍ଟ୍ର ଲକ୍ଷ ପୂରଣ କରିବାରେ ଏକ ବଡ଼ ବାଧକ। ସରକାର ଚାହିଁଲେ ଓ ରାଜନୀତିକ ଇଚ୍ଛାଶକ୍ତି ରହିଲେ ଲୋକକଲ୍ୟାଣକାରୀ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ସଫଳ ହୁଏ। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ପ୍ରଚଳିତ ମାଗଣା ଯୋଜନା ଯୋଗୁ ଏହା ଲକ୍ଷ ଭ୍ରଷ୍ଟ ହୋଇଛି।