ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ମୈଦଲପୁର ଥାନା ଅନ୍ତର୍ଗତ ଜୁନାପାଣି ବୁଲାଣି ନିକଟରେ ଏକ କୁଣ୍ଢା ବଝେଇ ଟ୍ରକ ଓଲଟି ଜଣେ ଶ୍ରମିକ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ମୃତ୍ୟୁ ଶ୍ରମିକ ହେଲେ ମଣ୍ଟୁ ନାୟକ (୩୦) ବୋଲି ଜଣାପଡିଛି। ମୃତ୍ୟୁ ମଣ୍ଟୁଙ୍କ ଗାଁ କଳାହାଣ୍ଡି ଜିଲ୍ଲା ବାଞ୍ଜିବାହାଲ ବୋଲି ଜଣାପଡିଛି। ଆହତ ଡ୍ରାଇଭର ତୁଳସୀ ରାମ ନାୟକ ଓ ହେଲ୍ପର ବନମାଳୀ ମାଝୀ ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁରୁ ଏକ କୁଣ୍ଢା ବଝେଇ ହୋଇ କଳାହାଣ୍ଡି ଜିଲ୍ଲା ଆମପାଣିକୁ ଯାଉଥିଲା। କୁଣ୍ଢା ବଝେଇ ଟ୍ରକ ଭାରସାମ୍ୟ ହରାଇ ମୈଦଲପୁର ଆମପାଣି ଘାଟି ନିକଟ ଜୁନାପାଣି ବୁଲାଣି ନିକଟରେ ଓଲଟି ପଡିଥିଲା। ଟ୍ରକଟି ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ହିଁ ଶ୍ରମିକ ମଣ୍ଟୁ ନାୟକଙ୍କ ମୃତ୍ୟୁ ହୋଇଥିଲା। ପରେ ମୈଦଲପୁର ପୁଲିସ ଆସି ଆହତ ଡ୍ରାଇଭର ଓ ହେଲପର କୁ ଉଦ୍ଧାର କରି ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅଗ୍ନିଶମ ବାହିନୀ ଓ ମୈଦଲପୁର ପୁଲିସ ଶବ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ମୈଦଲପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।