କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲାରେ ଶେଷ ହେଉ ନାହିଁଁ ଦାଦନ ସମସ୍ୟାର। ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ କେଉଁ ଶ୍ରମିକ ହାତ ଗୋଡ କଟା ହେଇ ନିର୍ଯ୍ୟାତିତ ହେଇ ଫେରୁଛି ତ କିଏ ଶବ ହେଇ ଫେରୁଛି। ପୁଣି ଅନ୍ୟ କାହାର ଭାଗ୍ୟରେ ଗାଁ ମାଟି ମଧ୍ୟ ଜୁଟୁ ନାହିଁ। ଏପରିକି କିଛି ଶ୍ରମିକ ସବୁ ଦିନ ପାଇଁ ନିଖୋଜ ହେଇ ଯାଉଛନ୍ତି। ଏଭଳି ଜଣେ କଥା କହି ପାରୁନଥିବା (ମୁକ) ଶ୍ରମିକ ଆନ୍ଧ୍ରପ୍ରଦେଶର ଭଦ୍ରାଚଲମ ଅଞ୍ଚଳକୁ ଇଟା ଭାଟିରେ କାମ କରିବାକୁ ଯାଇ ନିଖୋଜ ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁସାରେ କଲମପୁର ପୁଲିସ ଥାନା ଅଧିନସ୍ଥ ଡୁମେରମୁଣ୍ଡା ଭିର୍କାପଡାର ପଦ୍ମନାଭ ମାଝୀ ନାମକ ଜନୈକ ମୁକ ଯୁବକ ସ୍ଥାନୀୟ କିଛି ଶ୍ରମିକଙ୍କ ସହ ଗତ ୩ମାସ ତଳେ ଭଦ୍ରାଚଲମ ଯାଇଥିଲା କିଛି ଅଧିକ ରୋଜଗାର କରି ପରିବାର ପ୍ରତିପୋଷଣ ପାଇଁ। ସେଠାରେ ଏକ ଇଟା ଭାଟିରେ ନିୟୋଜିତ ହେଇ କାମ କରୁଥିଲା। କିନ୍ତୁ ଗତ ୧୦ ତାରିଖ ଦିନ ପଦ୍ମନାଭ ପାରିବାରିକ କାମ ପାଇଁ ଘରକୁ ଫେରିବା ପାଇଁ ସାଥି ଶ୍ରମିକଙ୍କୁ କହିଥିଲା। ସାଥି ଶ୍ରମିକ ସଙ୍ଗୀତା ନାମକ ଏକ ଘରୋଇ ବସ୍ ରେ ବସାଇ ଦେଇଥିଲେ। କଳାହାଣ୍ଡି ଜିଲ୍ଲାର ଆମପାଣିରେ ଓହ୍ଲାଇବା ପାଇଁ କହିଥିଲେ। କିନ୍ତୁ ପଦ୍ମନାଭ କେଉଁଠି ଓହ୍ଲାଇଲା। ଭଦ୍ରାଚଲମରୁ ବାହାରିବା ର ଏକ ସପ୍ତାହ ପରେ ମଧ୍ୟ ପଦ୍ମନାଭ ଘରକୁ ପହଞ୍ଚି ନାହିଁଁ। ପଦ୍ମନାଭ ର ନିଖୋଜ ନେଇ ପରିବାର ଲୋକ ଆଶା ଆଶଙ୍କାରେ। ଆମପାଣି ଠାରୁ ସିନାପାଲି ପର୍ଯ୍ୟନ୍ତ ଖୋଜିବା ପରେ ମଧ୍ୟ ପଦ୍ମନାଭ ର କୌଣସି ସନ୍ଧାନ ମିଳିନାହିଁ। ଏନେଇ ପଦ୍ମନାଭର ପତ୍ନୀ ଯମୂନା ମାଝୀ ନିଜ ସ୍ୱାମୀର ନିଖୋଜ ନେଇ କଲମପୁର ପୁଲିସ ଥାନାରେ ଏକ ଏତଲା ଦେଇଛନ୍ତି।ଅନ୍ୟପଟେ ନିଜ ମୁକ ପୁଅର ନିଖୋଜ ନେଇ ଅସହାୟ ହେଇ ପଡ଼ିଛି ପଦ୍ମନାଭର ବୃଦ୍ଧ ବାପା। ଦୁଇ ନାବାଳକ ଶିଶୁ ପୂତ୍ର ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ଅନ୍ୟପଟେ ପୁଲିସ ଏତଲା ରଖିବା ସହ ପଦ୍ମନାଭ ପ୍ରକୃତରେ ସେଦିନ ସେ ବସରେ ବସିଲାକି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛନ୍ତି।