ଡାକ୍ତରୀ ପାଠ ପଢିବେ ପଛୁଆ ଅଞ୍ଚଳର ମେଧାବୀ ଛାତ୍ର ଇଶ୍ବର ନାଏକ

  • ସର୍ବ ଭାରତୀୟ ସ୍ତରରେ ୩୬୫୬୫ ଏସ୍.ସି ବର୍ଗରେ ୮୩୮ ରେଙ୍କ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଦୃଢ଼ ଇଚ୍ଛାଶକ୍ତି, ଉଦ୍ୟମ ଏବଂ ନିଜ ଉପରେ ରହିଥିବା ଅପାର ବିଶ୍ୱାସ ହିଁ ସଫଳତାର ଶୀର୍ଷକୁ ନେଇଥାଏ। ଯେକୌଣସି ପ୍ରତିକୂଳ ପରିସ୍ଥିତି ହେଉନା କାହିଁକି ସେମାନଙ୍କ ପାଇଁ ସରଳ ହେଉଥାଏ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ପଛୁଆ ଅଞ୍ଚଳର ମେଧାବୀ ପୁଅ ଇଶ୍ବର ନାଏକ। କଳାହାଣ୍ଡି ଜିଲ୍ଲାର ପଛୁଆ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକର କୋଷାବରା ଗ୍ରାମର ଇଶ୍ବର ଆଜି ଏଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଓଡିଶା ଆଦର୍ଶ ବିଦ୍ୟାଳୟ ଥୁଆମୂଳ ରାମପୁରର ଜଣେ ମେଧାବୀ ଛାତ୍ର ଭାବେ ସ୍ବତନ୍ତ୍ର ଉଦାହରଣ ସାଜିଲେ ଇଶ୍ବର। ଇଶ୍ବର ଚଳିତ ବର୍ଷ ହୋଇଥିବା ସର୍ବ ଭାରତୀୟ ସ୍ତରରେ ଡାକ୍ତରୀ ପାଠ ପଢିବା ପାଇଁ ନିଟ୍ ପ୍ରବେଶିକା ପରୀକ୍ଷାରେ ମୋଟ ୨୨,୦୯,୩୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୧୨,୩୬,୫୩୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସର୍ବ ଭାରତୀୟ ସ୍ତରରେ ୩୬,୫୬୫ ଏବଂ ଏସ୍.ସି ବର୍ଗରେ ୮୩୮ ରେଙ୍କ ସ୍ଥାନରେ ରହି ଡାକ୍ତରୀ ପାଠ ପଡ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ । ଇଶ୍ବର ଜଣେ ମେଧାବୀ ଛାତ୍ର ଭାବେ ୨୦୨୩ ମାଟ୍ରିକ ପରୀକ୍ଷାରେ ୯୩ ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହୋଇଥିବା ବେଳେ ୨୦୨୫ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମଧ୍ୟ ୯୩ ପ୍ରତିଶତ ମାର୍କ ରଖି ସଫଳତା ଅର୍ଜନ କରିଛନ୍ତି। ଚଳିତ ବର୍ଷ ଭାରତୀୟ ଡାକ ବିଭାଗରେ ମଧ୍ୟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ଚଳିତ ବର୍ଷ ମଇ ପହିଲାରୁ ଚାକିରୀରେ ନିଯୁକ୍ତି ପାଇ ଥୁଆମୂଳ ରାମପୁର ବ୍ଲକ ର ଦୁର୍ଗମ ଅଞ୍ଚଳ କେରପାଇ ପଞ୍ଚାୟତର ତାଡାଦେଇ ଗ୍ରାମରେ କର୍ମ କ୍ଷେତ୍ରରେ ଦାୟିତ୍ୱ ନେଇଥିଲେ। ହେଲେ ବର୍ତ୍ତମାନ ସେ ନିଟ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗୁଁ ସେ ଡାକ୍ତରୀ ପାଠ ପଢିବେ ବୋଲି ଇଶ୍ବର କହିଛନ୍ତି। ଇଶ୍ବରଙ୍କ ବାପା ଜଣେ କପଡା ବେପାରୀ ଯିଏ କି ଅଞ୍ଚଳର ବିଭିନ୍ନ ସାପ୍ତାହିକ ହାଟରେ ନିଜର ଦୋକାନ ଖୋଲି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି। ପୁଅର ଏପରି ସଫଳତାକୁ ନେଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଯାହା ଥୁଆମୂଳ ଓଡିଶା ଆଦର୍ଶ ବିଦ୍ୟାଳୟ ଥୁଆମୂଳ ରାମପୁର ଏବଂ ପଛୁଆ ଅଞ୍ଚଳ ପାଇଁ ଏକ ଗୌରବର ବିଷୟ।