।। ଥୁଆମୂଳ ରାମପୁର ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ପୁଣି ଦେଖିବାକୁ ମିଳିଛି ରାସ୍ତା ଅଭାବ ଜନିତ ଯନ୍ତ୍ରଣା। ଗାଁକୁ ପହଂଚିଲା ନାହିଁ ଶବ ବାହକ ଯାନ ବୋଲି ଖିଟିଆରେ ଶବ ବୋହି ଗାଁକୁ ନେଲେ ପରିବାର ଲୋକ । ସୋମବାର ଅପରାହ୍ନ ୫ଟା ବେଳେ ଏଭଳି ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳି ଅଧୀନସ୍ଥ ଥୁଆମୁଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଖମାରପଦର ନିକଟସ୍ଥ ଭାଟିପାସ୍ ଗ୍ରାମ ଠାରେ । ଗାଁର ମନ ମାଝୀଙ୍କ ପତ୍ନୀ ସୁଭଦ୍ରା ଗତ ୨ ତାରିଖ ଦିନ ନିଜ ଘରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ପରବର୍ତ୍ତୀ ସମୟରେ ଉଭୟ ମାଆ ଝିଅଙ୍କ ସ୍ଵାସ୍ଥ୍ୟ ଠିକ୍ ରହିଥିଲା। କିନ୍ତୁ ୨୨ ତାରିଖ ଦିନ କୌଣସି କାରଣରୁ ସୁଭଦ୍ରାଙ୍କ ଦେହ ଅସୁସ୍ଥ ହେଇଥିଲା । ପରିବାର ଲୋକ ସୁଭଦ୍ରାଙ୍କ ଚିକିତ୍ସା ପାଇଁ ପଡୋଶୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଦିନ ବିଳମ୍ବିତ ରାତିରେ ସୁଭଦ୍ରାଙ୍କ ମୃତ୍ୟୁ ହେଇଥିଲା। ସୋମବାର ଅପରାହ୍ନରେ ଏକ ଶବ ବାହକ ଯାନ ମାଧ୍ୟମରେ ସୁଭଦ୍ରାଙ୍କ ମୃତ ଦେହ ଗାଁକୁ ଆଣୁଥିଲେ। କିନ୍ତୁ ପରିତାପର ବିଷୟ ଖମାରପଦର ଠାରୁ ଭାଟିପାସ୍ ପ୍ରୟା ୨ କିଲୋମିଟର ରାସ୍ତା ନଥିବାରୁ ଶବ ବାହକ ଯାନ ଗାଁରେ ପହଂଚିନଥିଲା।
ଖମାରପଦର ରାସ୍ତାରୁ ଆଉ ଗାଁକୁ ଯିବା ପାଇଁ ରାସ୍ତା ନଥିବା ଯୋଗୁଁ ବାଧ୍ୟ ହେଇ ପରିବାର ଲୋକ ଖଟିଆରେ ଶବ ବୋହି ସେଇ ପାଦ ଚଲା ରାସ୍ତାରେ ଗାଁକୁ ଶବ ନେଇଥିଲେ । ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ମୃତ ସୁଭଦ୍ରାଙ୍କ ଦାହ ସଂସ୍କାର କରାଯାଇଛି ।ଏଠାରେ ସୂଚନାଯୋଗ୍ୟ ଯେ ଭାଟିପାସ ଗାଁ ହେଉଛି ଖମାରପଦର ଗ୍ରାମର ଏକ ଉପଗ୍ରାମ।ଯାହା ଏକ ଆଦିବାସୀ ବହୁଳ ଗାଁ। ଏଠାରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଗମନାଗମନର ସୁବ୍ୟବସ୍ଥା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏହାର ସମାଧାନ ହେଇପାରିନି।ଫଳରେ ଏଭଳି ଦୟନୀୟ ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି।