ସପ୍ତମ ଦିନରେ କେସିଙ୍ଗା ସଚେତନ ନାଗରିକ ମଞ୍ଚର ଆନ୍ଦୋଳନ

  • ପହଞ୍ଚିଲେ ଉପଜିଲ୍ଲାପାଳ ଓ ସଦର ବିଧାୟକ
  • ସାଂସଦଙ୍କ ବାଟ ଚାହିଁ ବସିଛନ୍ତି ଆନ୍ଦୋଳନକାରୀ
  • ଆଗକୁ ସରକାରୀ ଅଫିସରେ ପଡ଼ିବ ତାଲା
  • ରାଜରାସ୍ତା ବନ୍ଦ କରିବା ପାଇଁ ଚେତାବନୀ

।। କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ ।। (ମଧୁସୂଦନ ଠାକୁର) : ୧୦ ଦଫା ଦାବି ନେଇ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇ ଥିବା ଆନ୍ଦୋଳନ ଇତି ମଧ୍ୟରେ ସପ୍ତମ ଦିନ ରେ ପହଞ୍ଚି ଥିଲେ ମଧ୍ୟ ସରକାର ଓ ନିର୍ବାଚିତ ପ୍ରତିନିଧି ମାନେ ଜାଣି ଜାଣି ନ ଜାଣିଲା ପରି ଅଭିନୟ କରୁଛନ୍ତି।ସାତ ଦିନ ପରେ ମଧ୍ୟ କଳାହାଣ୍ଡି ସାଂସଦଙ୍କ ଦେଖାନାହିଁ। ନିର୍ବାଚନ ସମୟରେ ଅଞ୍ଚଳର ସୁଖ ଦୁଃଖରେ ସବୁ ସମୟରେ ଲୋକଙ୍କ ପାଖରେ କାନ୍ଧରେ କାନ୍ଧ ମିଳାଇ ଅଞ୍ଚଳର ବିକାଶରେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇ ଥିବା ସାଂସଦ ମାଳବିକା ସିଂଦେଓ ଓ ରାଜ୍ୟସଭା ସାଂସଦ ସୁଜିତ କୁମାର କୁଆଡେ ଗଲେ ବୋଲି ଅଞ୍ଚଳରେ ସ୍ଥାନେ ସ୍ଥାନେ ଚର୍ଚ୍ଚା ହେଉଛି। ସେପଟେ ୭ ଦିନ ହେଲାଣି ସାଂସଦଙ୍କ ବାଟ ଚାହିଁ ବସିଛନ୍ତି ଆନ୍ଦୋଳନକାରୀ। ଯାହାବି ହେଉ ସପ୍ତମ ଦିନରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଥିଲେ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ଓ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଓ ଶେଷରେ ପହଞ୍ଚି ଥିଲେ ସଦର ବିଧାୟକ ସାଗର ଚରଣ ଦାସ।ଆନ୍ଦୋଳନକାରୀଙ୍କୁ ଆପଣଙ୍କ ସମସ୍ତ ଦାବୀ ସରକାରଙ୍କୁ ଜନାଇଦେଇଛୁ ବୋଲି କହି ଅନଶନ ଶେଷ କରିବା ପାଇଁ ଅନୁରୋଧ କରିଥିଲେ ଉପଜିଲ୍ଲାପାଳ। କିନ୍ତୁ ସଚେତନ ନାଗରିକ ମଞ୍ଚର ସଦସ୍ୟ ମାନେ ଶତ ପ୍ରତିଶତ ପ୍ରତିଶ୍ରୁତି ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ରୋକ ଠୋକ ଉପଜିଲ୍ଲାପାଳ ଙ୍କୁ ଶୁଣାଇଥିଲେ। ଧର୍ଯ୍ୟ ହରା ହେଉନାହାନ୍ତି ଯେତେ ଦିନ ପର୍ଯ୍ୟନ୍ତ ସରକାର ଦାବୀ ନ ମାନିବେ ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ସ୍ପଷ୍ଟ କରିଛନ୍ତି। ଆନ୍ଦୋଳନ କାରୀ ଷଷ୍ଠ ଦିନରେ କଳାବ୍ୟାଚ ଧାରଣ କରି ଅନଶନ କରିଥିବା ବେଳେ ଆଗକୁ ସରକାର ଦାବୀ ପୁରଣର ପ୍ରତିଶ୍ରୁତି ନ ଦେଲେ କେସିଙ୍ଗାର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ତାଲା ପକାଇବା ସହ ଏନ୍ ଏଚ ୨୬ କୁ ବନ୍ଦ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ବିଧାୟକ ସାଗର ଚରଣ ଦାସ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରି କେସିଙ୍ଗା ବିକାଶରେ ସହଯୋଗ ଦେବାପାଇଁ ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।