ଇନ୍ଦ୍ରାବତୀ ଡେମ୍ ସର୍କଲ କର୍ତ୍ତୃପକ୍ଷ ପ୍ରକଳ୍ପ ସମ୍ପତ୍ତି ପ୍ରତି ଧ୍ୟାନ ନାହିଁ : ଅବାଧ ନିର୍ମାଣ, ନିର୍ମିତ ବ୍ରିଜ, କୋଠା ବିପଦ ସଙ୍କୁଳ

।। ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍।। (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟ ୧୯୭୮ ମସିହାରେ ହେବା ପରେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ପାଇଁ ଏବଂ ଆନୁଷଙ୍ଗିକ ଆବଶ୍ୟକ ତା ପାଇଁ ବିଦ୍ୟାଳୟ ,ଡାକ୍ତରଖାନା,ଅଫିସ ବିଲ୍ଡିଂ ରାସ୍ତା ,ବ୍ରିଜ,କ୍ୱାଟର, ପାନୀୟ ଜଳ ବ୍ୟବସ୍ଥା ,ଅତିଥି ଭବନ,ବିଶ୍ରାମ ଗୃହ, ଅଫିସର ସ୍ କ୍ଲବ୍,ଏନ୍ ଜି ଓ କ୍ଲବ୍, ୱାର୍କ ଚାର୍ଜ କ୍ଲବ୍, ବିପଣି ଗୃହ, ପରିବା ବଜାର , ବ୍ୟାଚେଲାର ହଷ୍ଟେଲ ,ବସ୍ ଷ୍ଟାଣ୍ଡ ଆଦି ଲକ୍ଷାଧିକ ତାଙ୍କ ବ୍ୟୟରେ ଅନେକ କିଛି ନିର୍ମାଣ ହୋଇଥିଲା। ପ୍ରକଳ୍ପ ର ଭବିଷ୍ୟତ ଆବଶ୍ୟକତା ପାଇଁ ତଥା ତତ୍କାଳ ଆବଶ୍ୟକତା ପାଇଁ ବହୁ ଜମି ମଧ୍ୟ ଅଧିଗ୍ରହଣ କରାଯାଇଥିଲା। ପ୍ରକଳ୍ପ ସମ୍ପତ୍ତି ତଥା ପରିଚାଳନା ଦାୟିତ୍ଵ ସମୟ କ୍ରମେ କେତେବେଳେ ଜଳ ସମ୍ପଦରୁ ଶକ୍ତି (ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ) ଓ ପରେ ପୁଣି ଜଳସେଚନ ବିଭାଗ ପାଖରେ ଇତିମଧ୍ୟରେ ପହଞ୍ଚିଛି । କ୍ଷମତା ପରିସର ସୀମିତ ହୋଇ ଯାଇଛି। କ୍ଷମତା ସୀମିତ ନାମରେ ପ୍ରକଳ୍ପ ର ବିଭିନ୍ନ ସମ୍ପତ୍ତି ପ୍ରତି ଡେମ ସର୍କଲ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ଅବୈଧ କବଜା , ଚୋରୀ,ଭଙ୍ଗାରୁଜା ହୋଇ ବିପଦ ସଙ୍କୁଳ ତ କେଉଁଠି ପ୍ରକଳ୍ପ ସମ୍ପତ୍ତି ବିକ୍ରି ହୋଇ ଗଲାଣି । ବ୍ୟାଚଲର୍ ହଷ୍ଟେଲର କୋଠାରୁ କବାଟ ଝରକା ଚୋରି ହୋଇ ଗଲାଣି,ସେଠାରେ ଥିବା ଗ୍ୟାରେଜର କବାଟ ମଧ୍ୟ ଚୋରି ହୋଇଗଲାଣି। ୧୯୮୧ ମସିହାରେ ନିର୍ମିତ ବ୍ରିଜ ଉପରେ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଘରୋଇ କମ୍ପାନୀ ପାଇପ ବିଛାଇ ବ୍ରିଜର ପ୍ରତି ବିପଦ ସୃଷ୍ଟି କଲାଣି। ସେପଟେ ଉକ୍ତ ବ୍ରିଜ ଉପରେ ତଥା ନୂଆରେ ମରାମତି ହୋଇଥିବା ରାସ୍ତାରେ ଦୈନିକ ଚାଳିଶ ଟନ ଲୁହା ପାଇପ ବୋଝେଇ ଗାଡ଼ି ଯାତାୟାତ କରୁଛି। ବିପଦ ବୃଦ୍ଧି ପାଉଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ନୀରବ। ଏବେ ଦେଖିବାକୁ ମିଳିଛି ବ୍ରିଜ ର ସ୍ତମ୍ଭ ପାର୍ଶ୍ଵରେ ବଟ ବୃକ୍ଷ ଉଠିଲାଣି। ତଥାପି ନୀରବତା ଭାଙ୍ଗୁନି। କଲୋନୀ ରାସ୍ତା ଜରାଜୀର୍ଣ୍ଣ ବିପଦ ସଙ୍କୁଳ,ଡାକ୍ତରଖାନା କୋଠାରେ ଥିବା ଉଦ୍ୟାନ ପାଚେରୀ ଭାଙ୍ଗି ଗଲାଣି। କ୍ଲବ୍ ଗୃହରୁ ପାଣି ଗଳୁଛି,ଝରକା ଚୋରି ହେଲାଣି ତଥାପି କର୍ତ୍ତୃପକ୍ଷଙ୍କ ନୀରବତା ଭାଙ୍ଗୁନି । ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଉତ୍ତର ମିଳୁଛି ଆର୍ଥିକ କ୍ଷମତା ନାହିଁ , ଇନ୍ଦ୍ରାବତୀ କୋଲାବ ବେଶିନ ମୁଖ୍ୟଯନ୍ତ୍ରୀଙ୍କୁ ପ୍ରକଳ୍ପରେ ଥିବା ବିଭିନ୍ନ କୋଠା ରାସ୍ତା ଆଦିର ମରାମତି ପାଇଁ ଅର୍ଥ ମାଗିଛୁ ଅର୍ଥ ଆବଣ୍ଟନ ହେଲେ ପର୍ଯ୍ୟାୟକ୍ରମେ ସବୁ ମରାମତି କରାଯିବ ବୋଲି ଉତ୍ତର ମିଳୁଛି।