ଗାଁ କୁ ରାସ୍ତା ନାହିଁ ; ଖଟିଆରେ ବୁହା ହେଲେ ରୋଗୀ

।। ସିନାପାଲି ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ୍।। ଗାଁ କୁ ଯିବା ପାଇଁ ସବୁଦିନିଆ ରାସ୍ତା ନ ଥିବାରୁ ରୋଗୀ ଙ୍କୁ ଖଟିଆ ରେ ୧ କିଲୋମିଟର ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ ଜାମପାଣି ଗାଁ ର ଏକ ପଡ଼ା ଗ୍ରାମ ମହୁଲପଡ଼ା ର ଗଦାଧର ନାଏକ ନିକଟ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଭାରସାମ୍ୟ ହରାଇ ଗୋଡ଼ ଖସି ଭାଙ୍ଗି ଯାଇଥିଲା। ଘର ଲୋକେ ଖବର ଶୁଣି ପୋଖରୀ ନିକଟରୁ ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରେ ଏକ ଭଡା ଗାଡ଼ି କୁ ଯୋଗାଯୋଗ କରିବା ପରେ ଗାଡ଼ିଟି ଗାଁ ଶେଷ ମୁଣ୍ଡରେ ରହିଯାଇଥିଲା। ଘର ଠାରୁ ୧ କିଲୋ ମିଟର ଜାମପାଣି ଗାଁ ନିକଟକୁ ଭାର କରି ଖଟିଆ ରେ ବୋହି ଆଣି ସିନାପାଲି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ପରେ ଗୁରୁତର ହେବାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଵାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରଯାଇଥିଲା। ବର୍ତ୍ତମାନ ଗଦାଧର ନାଏକ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ଚିକିତ୍ସା ଚାଲିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ଗାଁ ଟି ଛତିଶଗଡ଼ ରାଜ୍ୟର ସୀମାରେ ଅବସ୍ଥିତ। ଏଠାରେ ପ୍ରାୟ ୧୫ ଗୋଟି ପରିବାର ବସବାସ କରୁଥିବା ବେଳେ ସମସ୍ତେ ଆଦିବାସୀ ଶ୍ରେଣୀର। ଏହି ପଡ଼ା ଗାଁ କୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ ସବୁ ଦିନିଆ ରାସ୍ତା ନାହିଁ। ଏକ ପୋଖରୀ ହୁଡ଼ା ରାସ୍ତା ରେ ଯିବା ଆସିବା କରିଥାନ୍ତି। ଖରା ମାସ ରେ ଯେଣେ ତେଣେ ପ୍ରକାରେ ଯାତାୟାତ ରେ ଚଲିଯାଆନ୍ତି। ହେଲେ ବର୍ଷା ଋତୁ ରେ ତାଙ୍କର ସମସ୍ୟା କହିଲେ ନ ସରେ। ବିଭିନ୍ନ କାର୍ଯ୍ୟ ପାଇଁ ପଞ୍ଚାୟତ ତଥା ବ୍ଲକ କାର୍ଯ୍ୟଳୟ ଯିବା ପାଇଁ ଏମିତି କାଦୁଅ ପଚ ପଚ ରାସ୍ତା ରେ ଯିବା ମୁସ୍କିଲ ହୋଇ ପଡିଛି। ଏହି ଗାଁ କୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହି ସମସ୍ୟା କୁ ନେଇ ଦୈନିକ ସକାଳ ଖବର କାଗଜରେ ଖବର ପ୍ରସାରଣ ପରେ ଗତ ଏପ୍ରିଲ ମାସରେ ସିନାପାଲି ବିଡ଼ିଓ କାର୍ମୀ ଓରାମ, କନିଷ୍ଟ ଯନ୍ତ୍ରୀ ସୁଲୋଚନା ଦାସ, ସ୍ଥାନୀୟ ସରପଞ୍ଚ ମଦନ ଦଣ୍ଡସେନା ଗାଁ କୁ ଯାଇ ପଡ଼ା ଲୋକଙ୍କ ସହ ଆଲୋଚନା କରି ମନରେଗା ଯୋଜନା ରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛି ଲୋକଙ୍କ ବ୍ୟକ୍ତିଗତ ଜମି ଥିବାରୁ ରାସ୍ତା ନିର୍ମାଣ ପାଇଁ ଛାଡ଼ୁ ନ ଥିବାରୁ ଏଭଳି ଅବସ୍ଥା ଦେଖା ଦେଉଛି ବୋଲି ବିଡ଼ିଓ କାର୍ମୀ ଓରାମ ପ୍ରକାଶ କରିଛନ୍ତି। ଏ ଦିଗରେ ପ୍ରଶାସନ ତରଫରୁ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।