କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ।। ସ୍ବତନ୍ତ୍ର ।। ଶ୍ରୀ ଜଗନ୍ନାଥ ଏକ ବୈଚିତ୍ରମୟ ଦେବତା। ଶ୍ରୀକ୍ଷେତ୍ର ବ୍ୟତିରେକ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୂଜିତ ହୁଅନ୍ତି ମହାବାହୁ। ସେହି କ୍ରମରେ କଳାହାଣ୍ଡିର କୋକସରା ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭିନ୍ନ ପରମ୍ପରା ଅନୁକ୍ରମେ ଅନୁଷ୍ଠିତ ହୋଇଥାଏ। କଳାହାଣ୍ଡି ଜିଲ୍ଲାରେ ପ୍ରାଚୀନ ଅଭିଚାର ତନ୍ତ୍ର ଧାରାର ଅନେକ ଦେବାଦେବୀ ପୂଜା ପାଆନ୍ତି। ଏହାସହ ପ୍ରାଚୀନ ଧର୍ମଧାରା ସହ ଶୈବ, ଶାକ୍ତ ଏବଂ ବୈଷ୍ଣବ ଧର୍ମର ସମନ୍ୱୟ ଦେଖିବାକୁ ମିଳେ। ଏଠାକାର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ। ସେହି କ୍ରମରେ କୋକସରା ବ୍ଲକର ଅନେକ ସ୍ଥାନରେ ମଧ୍ୟ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ପୂଜା କରାଯାଇଥାଏ। ତେବେ କୋକସରା ଅଞ୍ଚଳରେ ପାଳନ କରାଯାଉଥିବା ରଥଯାତ୍ରାରେ ସାମାନ୍ୟ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବ୍ଲକର ଆମପାଣି, ସିଉନୀ, ବଡପୋଡାଗୁଡା, ଗୋତମୁଣ୍ଡା, କେନ୍ଦୁଡଙ୍ଗରୀ, କାଉଡୋଲା, ଲଡୁଗାଁ, କୋକସରା, କାଶିବାହାଲ, ମୋଟେର, ଛିଲପାମାଲ, ଡଙ୍ଗରିଗୁଡା, ତୁନଗାଁ, ଟେମରା ଆଦି ଗ୍ରାମରେ ରଥଯାତ୍ରା ପାଳିତ ହୋଇଥାଏ। ଅନେକ ସ୍ଥାନରେ ଜଗନ୍ନାଥଙ୍କ ଏକକ ବିଗ୍ରହ ଦଧିବାମନଙ୍କ ରଥଯାତ୍ରା ହୋଇଥାଏ। ଏହାକୁ ସ୍ଥାନୀୟ ଅଞ୍ଚଳରେ ‘ରଥ୍ ଦୁତିଆ ବା ‘ଗୁନ୍ଚା ରଥ୍’ ବୋଲି କୁହା ଯାଇଥାଏ। ଏହି ଅଞ୍ଚଳରେ ‘ରଥ ଛିଆଁ’ ଗୋଟିଏ ଅଲଗା ଓ ନିଆରା ପରମ୍ପରା। ଜନମ ହେଲା ଛୁଆକୁ ଭାତ ଖୁଆ ହେଲା ପରଠୁ ଦେଉଳ ପ୍ରବେଶ ବିଧି ଅଛି। ଏହା ଆଗରୁ ‘ରଥ ଛିଆଁ’ ବିଧି କରାଯାଏ। ରଥଯାତ୍ରାବେଳେ ଛୁଆମାନଙ୍କୁ ନୂଆ ଜାମା ପିନ୍ଧାଇ ରଥ ଉପରକୁ ଚଢାଯାଇ ବିଗ୍ରହଙ୍କ ଦର୍ଶନ କରାଯାଏ। ଏହାଦ୍ୱାରା ଶିଶୁର ଭବିଷ୍ୟତ ଉଜ୍ଜ୍ୱଳ ହେବାର ବିଶ୍ୱାସ କରାଯାଏ। ସେଥିପାଇଁ ମା’ ବାପାମାନେ ଛୁଆକୁ ରଥ ଛିଆଁ କରେଇଥାଆନ୍ତି। ଅନ୍ୟପକ୍ଷରେ ବ୍ଲକର ଗୋତମୁଣ୍ଡା ଠାରେ ନିଆରା ଢଙ୍ଗରେ ରଥଯାତ୍ରା ପାଳିତ ହୋଇଥାଏ। ଏଥିରେ ଦ୍ବିତୀୟା ତିଥିରେ ଟଣା ଯାଉଥିବା ରଥକୁ ସର୍ବସାଧାରଣ ଟାଣି ଥାନ୍ତି। କିନ୍ତୁ ବାହୁଡ଼ା ରଥଯାତ୍ରାକୁ ଗ୍ରାମ୍ୟ ଦେବାଦେବୀ ଲାଠି କାଳିସୀ ହିଁ ଟାଣିଥାନ୍ତି। ଏହା ଆଦିବାସୀ ସଂସ୍କୃତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରା ସହ ନବଗ୍ରହଙ୍କ ଘନିଷ୍ଟ ସମ୍ପର୍କ ରହିଛି। ଶ୍ରୀଜଗନ୍ନାଥଙ୍କ ଏହି ନବଦିନ ଯାତ୍ରା ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରିଥାଏ। ସପ୍ତାହକର ସାତଦିନ ଗ୍ରହମଣ୍ଡଳର ଗ୍ରହମାନଙ୍କ ନାମରେ ନାମିତ। ରବିଙ୍କ ଉଦ୍ଦେଶ୍ୟରେ ରବିବାର, ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୋମବାର, ମଙ୍ଗଳଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର, ବୁଧଙ୍କ ଉଦ୍ଦେଶ୍ୟରେ ବୁଧବାର, ଦେବଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଗୁରୁବାର, ଶୁକ୍ରଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଓ ଶନିଙ୍କ ଉଦ୍ଦେଶ୍ୟରେ ଶନିବାର। କିନ୍ତୁ ଅନ୍ୟ ଦୁଇଗ୍ରହ, ଯଥା ରାହୁ ଓ କେତୁ ଛାୟାଗ୍ରହ ହେତୁ ଏମାନଙ୍କର କୌଣସି ସ୍ୱତନ୍ତ୍ର ବାର ନାହିଁ। ଆଷାଢ଼ ମାସର ତୃତୀୟା ତିଥି ଯେଉଁଦିନ ପଡ଼ିବ ସେହିଦିନ ଶ୍ରୀଜଗନ୍ନାଥ ସେହିବାରର ପ୍ରତୀକଗ୍ରହ ରୂପେ ପୁଜା ପାଆନ୍ତି। ମନେ କରାଯାଉ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଘୋଷଯାତ୍ରା ଦିନ ରବିବାର ହେଲେ ତୃତୀୟା ସୋମବାର ହେବ ଏବଂ ତୃତୀୟାଠାରୁ ଶ୍ରୀଜଗନ୍ନାଥ ଆଗାମୀ ରବିବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତ୍ୟେକ ଗ୍ରହଙ୍କ ନିର୍ଦ୍ଧିଷ୍ଟ ସେହି ଗ୍ରହଙ୍କ ସ୍ୱରୂପ ଭାବରେ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି। ସୋମବାର ଦିନ ଚନ୍ଦ୍ରଙ୍କ ସ୍ୱରୂପ, ମଙ୍ଗଳବାର ଦିନ ମଙ୍ଗଳଙ୍କ ସ୍ୱରୂପ, ବୁଧବାର ଦିନ ବୁଧଙ୍କ ସ୍ୱରୂପ, ଗୁରୁବାର ଦିନ ବୃହସ୍ପତିଙ୍କ ସ୍ୱରୂପ, ଶୁକ୍ରବାର ଦିନ ଶୁକ୍ରଙ୍କ ସ୍ୱରୂପ, ଶନିବାର ଦିନ ଶନିଙ୍କ ସ୍ୱରୂପ ଓ ରବିବାର ଦିନ ରବିଙ୍କ ସ୍ୱରୂପ ଭାବରେ ପୂଜା ପାଆନ୍ତି। କିନ୍ତୁ ରାହୁ ଓ କେତୁ ଏ ଦୁଇ ଗ୍ରହଙ୍କ ସ୍ୱତନ୍ତ୍ର ବାର ନଥିବା ହେତୁ ପ୍ରଥମ ଗୁଣ୍ଡିଚା ଘୋଷଯାତ୍ରା ଓ ଶେଷ ବାହୁଡ଼ା ଏ ଦୁଇ ଦିବସକୁ ରାହୁ ଓ କେତୁଙ୍କ ପାଇଁ ନିର୍ଦ୍ଦିଷ୍ଟ ବୋଲି ନିର୍ଣ୍ଣୟ କରାହୁଏ। ଏକସପ୍ତାହ ବ୍ୟାପି ଗୁଣ୍ଡିଚାରେ ରହଣୀ କାଳ ଚନ୍ଦ୍ରଙ୍କଠାରୁ ଆରମ୍ଭ କରି ରବିଙ୍କ ପର୍ଯ୍ୟନ୍ତ ସପ୍ତଗ୍ରହକୁ ସୂଚେଇଲା ଭଳି ଦୁଇ ଯାତ୍ରାକୁ ସାଙ୍କେତିକ ଭାବରେ ରାହୁ ଓ କେତୁଙ୍କୁ ସୂଚାଇ ନବଦିନ ବ୍ୟାପି ଯାତ୍ରା ନବଗ୍ରହକୁ ସମ୍ପୂର୍ଣ୍ଣ କରେ। ଏହି ତତ୍ବ କୃଷି କର୍ମ ଓ ପାଣିପାଗ ସହ ମଧ୍ୟ ସଂଯୁକ୍ତ ହୋଇଥାଏ। ତେଣୁ କୋକସରା ସମେତ କଳାହାଣ୍ଡିର ଚାଷୀକୂଳ ଓ ଜନସାଧାରଣ ‘ରଥ୍ ଦୁତିଆ’ ଆସିଲେ ବହୁତ ଉତ୍ସାହିତ ହୋଇ ଥାଆନ୍ତି।