ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନୂଆପଡ଼ା ଜିଲ୍ଲା ସିନାପାଲି ସହର ର ବାହାଳପଡା ରାସ୍ତା ବେହାଳ ହୋଇ ପଡ଼ିଛି। ଅଳ୍ପ ବର୍ଷା ରେ ଜଳାର୍ଣାବ ହୋଇ ପଡି ଯାତାୟାତ ରେ ବିଶେଷ ଅସୁବିଧା ହେବା ସହ ଲହଡ଼ି ଭାଙ୍ଗି ଘର କୁ ପାଣି ପଶୁଛି। ହେଲେ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ପଡାବାସୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯୋଗ୍ୟ ଯେ, ସିନାପାଲି ସହର ର ଏହି ରାସ୍ତା ଦେଇ ବିଜୁ ଏକ୍ସପ୍ରେସ ରାସ୍ତା ସଂଯୋଗ କରୁଛି। ଏପରିକି ଉକ୍ତ ରାସ୍ତା ଦେଇ ସିନାପାଲି ନେହେରୁ ମଣ୍ଡପ ଦେଇ ସହର କୁ ଲୋକେ ନୀତି ଯିବା ଆସିବା କରିବାକୁ ପଡ଼ିଥାଏ। ଏଠାରେ ରାଜଶ୍ରୀ ପବ୍ଲିକ ସ୍କୁଲ ଓ ବାହାଲପଡ଼ା ପ୍ରାଥମିକ ବିଦ୍ୟାଳୟ ରହିଛି। ପ୍ରତି ଦିନ କୁନି ଛାତ୍ର ଛାତ୍ରୀ ତଥା ଅଭିଭାବକ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ସ୍ଥାନୀୟ ପଡା ର ଜନସାଧାରଣ ମଧ୍ୟ ନିର୍ଭର କରିଥାନ୍ତି। ଗୋଟିଏ ରାସ୍ତା ଏହି ପଡା କୁ ରହିଥିବା ବେଳେ ଅନ୍ୟ ବିକଳ୍ପ ରାସ୍ତା ନାହିଁ। ଏହି ସମସ୍ୟା କୁ ନେଇ ବାରମ୍ବାର ପଡାବାସୀ ସ୍ଥାନୀୟ ଜନପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ନେତା, ମନ୍ତ୍ରୀ ଠାରୁ ଅନୁରୋଧ କରି ଆସୁଛନ୍ତି ହେଲେ କୌଣସି ସୁଫଳ ମିଳିନାହିଁ ବୋଲି ପଡାବାସୀ ଅଭିଯୋଗ କରିଛନ୍ତି। ତତ୍କାଳୀନ ସିନାପାଲି ବିଡ଼ିଓ ସଦାଶିବ ନାଏକ ଓ ତତ୍କାଲିନ ଜିଲ୍ଲାପାଳ ମଧୁସ୍ମିତା, ଯନ୍ତ୍ରୀ ମିନାକ୍ଷୀ ମିଶ୍ର, ସ୍ଥାନୀୟ ସମିତି ସଭ୍ୟ ମନୀଷ ପଟେଲ ପ୍ରମୁଖ ସରଜମିନ ତଦନ୍ତ କରି ରାସ୍ତା ର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିଲା ନାହିଁ। ଯାହା ଫଳରେ ପଡାବାସୀ ଓ ଅଞ୍ଚଳ ର ଜନସାଧାରଣ ଲହଡ଼ି ଭାଙ୍ଗୁଥିବା ରାସ୍ତା ଉପରେ ଯିବା ଆସିବା କରିବାପାଇଁ ବାଧ୍ୟ ହେଉଛନ୍ତି। ଖୋଦ୍ ସିନାପାଲି ସହର ରେ ଏଭଳି ଦୁର୍ଦ୍ଦଶା ଲାଗି ରହିଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଦେଖିପାରୁଛନ୍ତି କି ନାହିଁ ତାହା ଅନୁମାନ କଲେ ତାଙ୍କର ପାରିବା ପଣିଆ ବେଶ୍ ବୁଝା ପଡୁଛି। ସିନାପାଲି ସହର ରେ ଅନେକ ରାଜନୈତିକ ନେତୃବୃନ୍ଦ ରହିଛନ୍ତି। ଅନେକ ସମୟରେ ସିନାପାଲି ସହର ର ବିକାଶ ଓ ସ୍ୱଚ୍ଛ ନିର୍ମଳ ସହର ଗଢ଼ିବାକୁ ଡିଣ୍ଡିମ ପିଟନ୍ତି ହେଲେ ସବୁ ଧୂଆଁବାଣ ସଦୃଶ୍ୟ ବୋଲି ସହରବାସୀ ମଧ୍ୟରେ ଅଭିଯୋଗ ହେଉଛି। ଏହି ରାସ୍ତା ନିର୍ମାଣ ସାଙ୍ଗକୁ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥା କରିବାକୁ ବାହାଲପଡାବାସୀ ଦାବୀ କରିଛନ୍ତି।