କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକର ବିଭିନ୍ନ ସ୍ଥାନରେ ମହାପ୍ରଭୂ ଶ୍ରୀଜିଉଙ୍କ ଘୋଷଯାତ୍ରା ପାଳିତ ହୋଇଥିବାବେଳେ ଲଡୁଗାଁଠାରେ କୁନି ରଥେ ବିଜେ କରିଛନ୍ତି ତିନି ଠାକୁର। ଶୁକ୍ରବାର ଘୋଷଯାତ୍ରା ପାଇଁ ଘଣ୍ଟ, ଶଙ୍ଖ ସଂକିର୍ତ୍ତନ ବାଜାରେ ପ୍ରକମ୍ପିତ ହୋଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଭକ୍ତଙ୍କ ଗହଣରେ ମାଉସୀ ଘର ଗଲେ ଚତୁର୍ଦ୍ଧା ମୁରତି। ଚଳିତ ବର୍ଷ ସ୍ବାଭାବିକ ପାଗ ଥିବାରୁ ହଜାର ହଜାର ଶ୍ରଧାଳୁ ଭକ୍ତଙ୍କ ଭିଡ ଲାଗିଥିବା ଦେଖିବାକୁ ମିଲିଥିଲା। କୋକସରା ବ୍ଲକ ସଦରମ ହକୁମା ସମେତ ବ୍ଳକର ବଡ଼ପୋଡାଗୁଡା, ଆମପାଣି, ସିଉନୀ, କାଉଡୋଲା, ଗୋତମୁଣ୍ଡା, ଲଡୁଗାଁ, ଟେମରା, ମୋଟେର, ତୁନଗାଁ, ଡଙ୍ଗରୀଗୁଡା, ଛିଲିପାମାଲ, କେନ୍ଦୁଡଙ୍ଗରୀ, କାଶୀବାହାଲ ଆଦି ସ୍ଥାନରେ ମହାପ୍ରଭୂଙ୍କ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଲଡୁଗାଁଠାରେ ବ୍ଲକ ଅଧ୍ୟକ୍ଷାଙ୍କ ବାସଭବନରୁ କୁନି ରଥ ବାହାରୀ ନଗର ପରିକ୍ରମା କରି କୁନି ରଥରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ତିନି ଠାକୁର ରଥାରୂଢ ହୋଇଥିଲେ। ରିୟାଂଶ ଅଗ୍ରୱାଲ ଛେରାପହଁରା କରିବା ପରେ ଘଣ୍ଟ, ଶଙ୍ଖ ସଂକୀର୍ତ୍ତନ ଦଳ ଓ ବାଜାର ମେଳରେ ରଥଟଣା ହୋଇଥିଲା। ଜୟ ଜଗନ୍ନାଥ ଧ୍ଵନି ଓ ଭକ୍ତିମୟ ପରିବେଶରେ ଲଡୁଗାଁ ପ୍ରକମ୍ପିତ ହୋଇ ଉଠିଥିଲା। ଏଥିରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସାମିଲ ହୋଇ ରଥ ଟାଣିଥିଲେ। କୁନି ରଥରେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଲୁଙ୍କ ଭିଡ଼ ଦେଖିବାକୁ ମିଲିଥିଲା। ତେବେ ବିଭିନ୍ନ ସ୍ଥାନରେ ହୋଇଥିବା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ନିମନ୍ତେ ପରିଚାଳନା କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।