କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥି ଶୁକ୍ରବାର ଦିନ ମହାପ୍ରଭୁଙ୍କ ରଥଯାତ୍ରା କଲମପୁର ବ୍ଲକ ଅଞ୍ଚଳରେ ମହା ଆଡମ୍ବରରେ ପାଳିତ ହୋଇଛି। ଅଞ୍ଚଳର କଲମପୁର , ଚୁରାଗାଁ , ଦେପୁର , ବିଜମରା , ନୂଆଗାଁ, ମଣ୍ଡଳ, ଭାଟିଗାଁ ଭଳି ଅନେକ ଜଗନ୍ନାଥ ମନ୍ଦିର ମାନଙ୍କରେ ପବିତ୍ର ରଥଯାତ୍ରା ପାଳିତ ହୋଇଛି। ଶୁକ୍ରବାର ସକାଲୁ ଜଗନ୍ନାଥ ମନ୍ଦିରରେ ବଳଭଦ୍ର , ସୁଭଦ୍ରା, ଏବଂ ଜଗତର ନାଥ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନ ଚାରିଟା ବେଳକୁ ମଙ୍ଗଳ ଆଳତି ପରେ ଅଞ୍ଚଳର ଭକ୍ତମାନେ ରଥ ଟାଣିବା ପାଇଁ ମନ୍ଦିର ପରିସର ମଧ୍ୟରେ ଆନନ୍ଦ ଉଲ୍ଲାସର ସହ ଚାହିଁ ରହିଥିଲେ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ଭକ୍ତ ମାନେ ରଥକୁ ଟାଣି ଥିଲେ। ତିନି ଠାକୁର ମନ୍ଦିରରୁ ବାହାରି ମାଉସୀ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ, ଅଞ୍ଚଳରେ ଘୋଷଯାତ୍ରା ଦେଖିବା ପାଇଁ ଅନେକ ଶ୍ରଦ୍ଧାଲୁ ଉପସ୍ଥିତ ରହି ରଥଯାତ୍ରା ଟିକୁ ଉପଭୋଗ କରିଥିଲେ। ସଂକୀର୍ତ୍ତନ, ଘଣ୍ଟ , ଶଙ୍ଖ, ହୁଳହୁଳି ଏବଂ ଜୟ ଜଗନ୍ନାଥ ନାଦରେ ଭକ୍ତ ମାନେ ବିଭୋର ହୋଇପଡିଥିଲେ। ତିନି ଠାକୁର ମାଉସୀମା ମନ୍ଦିରକୁ ବିଜେ କରିଛନ୍ତି। ଅଞ୍ଚଳର ରଥଯାତ୍ରା ସ୍ଥାନ ମାନଙ୍କରେ ପୋଲିସ ସୁରକ୍ଷା ଥିବାରୁ ରଥଯାତ୍ରାଟି ସୁରୁଖୁରୁରେ ପାଳନ ହୋଇଛି।