ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡରେ ଏଇ ଆଦିବାସୀ କ୍ଷେତ୍ରରେ ଆନନ୍ଦ ଉଲ୍ଲାସର ସହିତ ଚତୁର୍ଦ୍ଧାମୂର୍ତ୍ତି ବଳଭଦ୍ର,ସୁଭଦ୍ରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ସୁଦର୍ଶନଙ୍କ ପହଣ୍ଡି ବିଜେ ଏବଂ ରଥାରୂଢ ଠାକୁରଙ୍କୁ ଦର୍ଶନ କରିଥିଲେ।ରଥାରୂଢ ଠାକୁରଙ୍କୁ ରଥ ଟଣା ହୋଇ ମାଉସୀ ମା ଘରକୁ ନେଇଛନ୍ତି। ଯେଉଁଠି ନଅ ଦିନ ସେଠାରେ ରହି ବାହୁଡା ଯାତ୍ରାରେ ନିଜ ମନ୍ଦିରକୁ ବାହୁଡିବେ। ବ୍ଲକର ସଦର ମହକୁମା ସମେତ କର୍ଲାପାଟ, ଗୁଣପୁର ,ମହୁଲପାଟଣା ଏବଂ ଗୋପୀନାଥପୁର ଠାରେ ମହା ଧୁମଧାମର ସହିତ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଘଣ୍ଟ ହୁଳହୁଳି ଏବଂ ସଂକୀର୍ତ୍ତନ ସହ ଜୟ ଜଗନ୍ନାଥ ଶବ୍ଦରେ ଏକ ପବିତ୍ର ବାତାବରଣ ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ପାଗ ଅନୁକୂଳ ଥିବା ଯୋଗୁଁ ଚଳିତ ରଥଯାତ୍ରା ଉତ୍ସବରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀ ଯାତ୍ରା ପରିଚାଳନା କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ମୁତୟନ ଥିଲେ।ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ଗହଳି ଲାଗିଥିଲା।