ରଥଯାତ୍ରା ଦେଖି ଫେରୁଥିବାବେଳେ ଅଘଟଣ, ଗଛରେ ପିଟିହେଲା ବାଇକ୍, ୨ ଗୁରୁତର

ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ କଣ୍ଟାମାଳ ଛକ ନିକଟରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ୨ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, କଣ୍ଟାମାଳ ଗ୍ରାମର ଉମା ଜାନି(୨୫) ଓ ବୈଦନାଥ ଯାନୀ (୨୦) ବାଇକ୍ ଯୋଗେ ରଥଯାତ୍ରା ଦେଖିବାକୁ ମଇଦଲପୁରକୁ ଯାଇଥିଲେ। ଦେଖି ସରିବା ପରେ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିଲେ। ତେବେ କଣ୍ଟାମାଳ ନିକଟରେ ଭାରସାମ୍ୟ ହରାଇବାରୁ ବାଇକ୍ ଟି ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଉଭୟେ ଗୁରୁତର ହୋଇଥିଲେ। ପରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।