କେସିଙ୍ଗାରେ ଛତ୍ରପତି ସାହୁଜୀ ମହାରାଜଙ୍କ ଜନ୍ମଜୟନ୍ତୀ ସମାରୋହ

କେସିଙ୍ଗା/କ୍ରାନ୍ତି କ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଏ ଦେଶ, ଜାତି ଓ ସମାଜ ଆମକୁ ସବୁ ଦେଇଛି। ଆମର ଲାଳନ-ପାଳନ କରିବାରେ, ମଣିଷ କରି ଗଢି ତୋଳିବାରେ ଆଉ ପରିଚୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏ ଦେଶ, ଜାତି ଓ ସମାଜ। ଏଣୁ ବର୍ତ୍ତମାନ ସମୟରେ ବୁଦ୍ଧିଜୀବୀ ସମାଜ ଆଗକୁ ଆସିବା ଉଚିତ। ଦେଶ ପାଇଁ, ଜାତି ପାଇଁ ଓ ବୃହତ୍ତର ସମାଜର ଉତଥାନ ପାଇଁ ସଂକଳ୍ପବଦ୍ଧ ହେବାର ଆବଶ୍ୟକତା ରହିଛି। ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ସଂଖ୍ୟାବହୁଳ ଲୋକଙ୍କ କଲ୍ୟାଣ ଦିଗରେ ନୀତିଗତ ନିଷ୍ପତ୍ତି ନେବା ସହିତ ସମାଜର ତଳ ସ୍ତରରେ ଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସାମାଜିକ ଓ ବୌଦ୍ଧିକ ଆନ୍ଦୋଳନ ଗଢି ଉଠିବାର ଆବଶ୍ୟକତା ରହିଛି। ସେହିପରି ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ନିଜର ବୃତ୍ତିଗତ କର୍ତ୍ତବ୍ୟ ସହିତ ସମାଜ ପ୍ରତି ନିଜର ଦାୟିତ୍ୱ ଓ ମୂଲ୍ୟବୋଧ ଭିତ୍ତିକ ସାମାଜିକ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ। ଏଣୁ ସଂଖ୍ୟାବହୁଳ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକେ ଦେଶ, ଜାତି ଓ ସମାଜର ସାମୁହିକ ଉନ୍ନତି ପାଇଁ ଏକଜୁଟ ହେବାର ସମୟ ଆସିଛି ବୋଲି ସାମାଜିକ ଗଣତନ୍ତ୍ରର ପ୍ରତିଷ୍ଠାତା ତଥା ସଂରକ୍ଷଣର ଜନକ ଛତ୍ରପତି ରାଜର୍ଷି ସାହୁଜୀ ମହାରାଜଙ୍କ ଜନ୍ମଜୟନ୍ତୀ ସମାରୋହରେ ଅତିଥିମାନେ ଆହ୍ୱାନ ଦେଇଛନ୍ତି। ରାଜ୍ୟର ଅଗ୍ରଣୀ ସାମାଜିକ ଓ ବୁଦ୍ଧିଜୀବୀ ସଂଗଠନ ମୂଳନିବାସୀ ବହୁଜନ ମିଳିତ ମହାସଂଘ କର୍ମଚାରୀ ବିଭାଗ ତରଫରୁ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ନିୟନ୍ତ୍ରିତ ବଜାର କମିଟି ଗୃହରେ ଆୟୋଜିତ ଛତ୍ରପତି ରାଜର୍ଷି ସାହୁଜୀ ମହାରାଜଙ୍କ ଜନ୍ମ ଜୟନ୍ତୀପାଳନ ଅବସରରେ ଏକ ବୁଦ୍ଧିଜୀବୀ କର୍ମଶାଳା ଆୟୋଜିତ ହୋଇଯାଇଛି। ମହାସଂଘ କର୍ମଚାରୀ ବିଭାଗର ରାଜ୍ୟ ସଭାପତି ଗୁରୁଚରଣ ଛତ୍ରପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାସଂଘ କଳାହାଣ୍ଡି ଜିଲ୍ଲା ସଭାପତି ସଚିଦାନନ୍ଦ ମହାଖୁଡ଼, ବଲାଙ୍ଗୀର ଜିଲ୍ଲା ସଭାପତି ସରୋଜ ମେଶ୍ୱା, ବରଗଡ଼ ଜିଲ୍ଲା ସଭାପତି ବିକ୍ରମ ଛତର, ଉପଦେଷ୍ଟା ଜଗଦୀଶ ଯାଦବ, ଧନୁର୍ଯ୍ୟ ନାଏକ, ରାଜ୍ୟ ଉପସଭାପତି ଲିଙ୍ଗରାଜ ଆଜାଦ, କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଯତୀନ୍ଦ୍ର କର, ଉପସଭାପତି ତୀର୍ଥ ବୁଦ୍ଧିଆ, ବରୁଣ ଛତ୍ରିଆ, ଜୟପ୍ରକାଶ ଜାଲ, ସାଧାରଣ ସମ୍ପାଦକ ସତ୍ୟ ମାହାର, ସଂପାଦକ ଅଞ୍ଜୁ କୁମାର, ଦିଗାମ୍ବର ଲୁହା, ଯୁବ ସଭାପତି ଡାକେଶ୍ୱର ଲହଜଲ, ‘ନବସେତୁ’ର ସଂପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଶ୍ରୀବତ୍ସ ତାଣ୍ଡି, ଏମ. ଡି ଆଗାଜାନ, ନରସିଂହ ନିଆଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ପାଇକ ସ୍ୱାଗତ ଅଭିଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରାଜ୍ୟ ସାଧାରଣ ସଂପାଦକ ଦିଗାମ୍ବର ଦୁରିଆ, ତ୍ରିନାଥ ନାଏକ, ଲୋକନାଥ କୁମାର, ଯୁଧିଷ୍ଠିର ଭଗତ, ପୃଥ୍ଵୀରାଜ ତାଣ୍ଡି ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ପରିଶେଷରେ ମଧୁସୂଦନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ବଉଦ, ସୋନପୁର, ସମ୍ବଲପୁର ସମେତ ଅନ୍ୟାନ୍ୟ ଜିଲ୍ଲାରୁ ମହାସଂଘର ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।