ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିଛି। ମିଲର ଗାଡି ପଠାଇଲା ନାହିଁ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶୃତି ପାଳନ କରିବାକୁ ଭୁଲିଗଲେ ସରକାରୀ ବାବୁ। ଆଜି ଥିଲା ଟୋକନ ଅବଧିର ଶେଷ ଦିବସ। ଟାର୍ଗେଟ ୪ ହଜାର ୨ ଶହ କ୍ଵିଣ୍ଟାଲ ମଧ୍ୟରୁ ମାତ୍ର ୧୩ ଶହ କ୍ଵିଣ୍ଟାଲ ଧାନ ଉଠିଛି। ଅବଶିଷ୍ଟ ୨୯ ଶହ ଧାନ କ୍ଵିଣ୍ଟାଲ ଧାନ ଉଠାଇବାକୁ ମିଲର ଅରାଜ। ଚାଷୀ ଯେତେ ଫୋନ କଲେ ମଧ୍ୟ କେହି ଶୁଣି ନଥିଲେ। ଫଳରେ ଚାଷୀ ତାତିଲେ, ମାତିଲେ। ଯାଜପୁର ସିଂହପୁର ମୁଖ୍ୟ ରାସ୍ତାର ମାଁସଡା ପଞ୍ଚାୟତ ରସିକ ଛକ ନିକଟରେ ଧାନ ବସ୍ତା ରଖି ଚାଷୀ ରାସ୍ତା ଅବରୋଧ କଲେ। ଅପରାହ୍ନ ଚାରିଟା ଠାରୁ ଚାଷୀ ଆନ୍ଦୋଳନରେ ରାସ୍ତା ଅବରୋଧ କରି ବସିଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ କାହାରି ଦେଖା ନଥିଲା। ସନ୍ଧ୍ୟା ୭ ଟା ବେଳେ ତହସିଲଦାର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଘଟଣା ସ୍ଥଳରେ ପହଞ୍ଚିଥିଲେ। ତହସିଲଦାର ଙ୍କୁ ଗୁଡେ଼ଇ ତୁଡେଇ ଚାଷୀ ପଚାରିଲେ। ଜିଲ୍ଲାପାଳଙ୍କୁ ରାସ୍ତା ଅବରୋଧ ସଂପର୍କରେ ଅବଗତ କରିବାକୁ ଚାଷୀ ଅନୁରୋଧ କଲେ। ମାତ୍ର ତହସିଲଦାର ସୁନା ପିଲା ଭଳି ଚାଷୀଙ୍କ ରୋଷ, ଗାଳି କୁ ଚୁପ୍ ଚାପ୍ ହଜମ କରିଦେଲେ। ସରକାର ବାକ୍ୟ ବୀର, କାମରେ ଜିରୋ। ବିଜେପି ସରକାର ଚାଷୀ ବିରୋଧୀ ବୋଲି ଯୁବ ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ରାଉଳ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସରକାର ଚାଷୀଙ୍କ ଜୀବନ ଜୀବିକା ସହ ଅଧିକ ଖେଳନ୍ତୁ ନାହିଁ ବୋଲି ଶ୍ରୀ ରାଉଳ କହିବା ସହ ଏପରି ହେଲେ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଚେତେଇ ଥିଲେ। ସୂଚନାଯୋଗ୍ୟ, ଖରିଆ ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ କପିଳା ଓ ମାଁସଡା ପଞ୍ଚାୟତର ଚାଷୀ ନିର୍ଭର କରନ୍ତି। କପିଳା ପଞ୍ଚାୟତର ୫୧ ଜଣ ଚାଷୀ ଟୋକନ ପାଇଥିଲେ। ମୋଟ ୪ ହଜାର ୨ ଶହ କ୍ଵିଣ୍ଟାଲ ଧାନ କିଣା ଯିବା କଥା। ଆଜି ସୁଧା ମାତ୍ର ୧୩ ଶହ କ୍ଵିଣ୍ଟାଲ ଧାନ ଉଠାଣ ହୋଇଛି ବୋଲି ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସମୀର ମଲ୍ଲିକ କୁହନ୍ତି। କୃପାଳୁ ରାଇସ ମୀଲର ଧାନ ଉଠାଇବାକୁ ରୋକ୍ ଠୋକ୍ ମନା କରିଛି। ମାଁସଡା ପଞ୍ଚାୟତରେ ରବି ଧାନ ଫସଲ ହୋଇନଥିଲା। ରାସ୍ତା ଅବରୋଧକୁ ସାଧାରଣ ଲୋକଙ୍କ ସମର୍ଥନ ଚାଷୀଙ୍କ ସପକ୍ଷରେ ବୃଦ୍ଧି ପାଇଛି। ପ୍ରଶାସନ କାଳ ବିଳମ୍ୱ ନକରି ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ। ରାସ୍ତା ଅବରୋଧ ଯୋଗୁ କୋଲକାତା, ରାଉରକେଲା ଦୂରଗାମୀ ଯାତ୍ରୀ ବାହୀ ବସ ଅଟକି ରହିଛି।