ବାରବଖରା ସ୍କୁଲ ପୁନଃ ଖୋଲିବାକୁ ଗ୍ରାମବାସୀଙ୍କ ଦାବି

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଖୁଣ୍ଟିଆ ଗ୍ରାମ ପଞ୍ଚାୟତର ବାରବଖରା ଗାଁର ବନ୍ଦ ପଡିଥିବା ପ୍ରାଥମିକ ବିଦ୍ୟାଳୟରକୁ ପୁନଃ ଖୋଲିବା ନେଇ ଦାବି ହୋଇଛି। ଏନେଇ ଆଜି ଗ୍ରାମବାସୀ ମାନେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ, ବାରବଖରା ପ୍ରାଥମିକ ବିଦ୍ୟାଳୟ କୁ ଗତ ୨୦୨୧ ମସିହାରେ ଶିକ୍ଷା ବିଭାଗ ପକ୍ଷରୁ ୨୦ ରୁ କମ୍ ଛାତ୍ରଛାତ୍ରୀ ଉପସ୍ଥାନ ଥିବା ଦର୍ଶାଇ ସ୍କୁଲ କୁ ବନ୍ଦ କରାଯାଇଛି। ଏବଂ ସେହି ସମୟରେ ଉକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନିକଟସ୍ଥ ଖୁଣ୍ଟିଆ, ଧରୁଆପଡ଼ା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ବାରବଖରା ଗାଁଠାରୁ ଧରୁଆପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରାୟ ୨.କିଲୋମିଟରରୁ ଉର୍ଦ୍ଧ୍ବ ଦୂର ଥିବାରୁ ଛାତ୍ର ଛାତ୍ରୀମାନେ ସ୍କୁଲ ଯିବା ଆସିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିଛାଟିଆରାସ୍ତା କାରଣରୁ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଛାଡି ବାକୁ ସୁରକ୍ଷିତ ମଣୁ ନାହାଁନ୍ତି। ଅନ୍ୟପଟେ ବନ୍ୟ ଜୀବଜନ୍ତୁ ଭୟ ମଧ୍ଯ ରହିଛି। ଏହି କାରଣରୁ ଅନେକ ପିଲା ସ୍କୁଲ ଯିବାପାଇ ଅମଙ୍ଗ ହେଉଛନ୍ତି। ଏନେଇ ଗାଁ ଲୋକେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀଙ୍କୁ ପ୍ରଦାନ କରିଛନ୍ତି। ଏବଂ ବନ୍ଦ ପଡିଥିବା ଉକ୍ତ ବିଦ୍ୟାଳୟକୁ ପୁନଃର୍ବାର ଖୋଲିବାକୁ ଦାବି କରିଛନ୍ତି।