କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡାଙ୍କ ଉଦ୍ଦେଶ୍ୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଲାମ୍ବର ଛତ୍ରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅବସରକାଳୀନ ସମ୍ୱର୍ଦ୍ଧନା ସଭାରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ମୁଖ୍ୟବକ୍ତା, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମାଧବୀ ଧରୁଆ, ନେଗିଗୁଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ଡହଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଭକ୍ତ, ଓଷ୍ଟା ଜିଲ୍ଲା ସଭାପତି ସାମନ୍ତ କୁମାର ପାଟ୍ଟଯୋଶୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମିନ ରଣା, ଉପ ସଭାପତି ପୁଷ୍ପଲତା ଗୋପାଲ, ପୂର୍ବତନ ସରପଞ୍ଚ ତଥା ବିଜେପି ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଦେଇଥିଲେ। ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ୧୯୮୫ ମସିହାରେ ଡହଗାଁ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇ ଶିକ୍ଷକତା ଜୀବନ ଆରମ୍ଭ କରିଥିବାବେଳେ ୧୪/୦୯/୨୦୨୨ରେ ପଦୋନ୍ନତି ପାଇ ପ୍ରଧାନଶିକ୍ଷକ ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ଖୁଣ୍ଟିଆରେ ଏଯାବତ ଦାୟିତ୍ଵ ନିର୍ବାହ କରି ଆସୁଥିଲେ। ଗତ ୩୦/୦୬/ ୨୦୨୫ ରେ ସେ ଶିକ୍ଷକତାରୁ ଅବସର ଗ୍ରହଣ କରିଥିଲେ। ସେ ଜଣେ ମେଳାପୀ, ଶାନ୍ତ, ସରଳ, ଛାତ୍ରବତ୍ସଲ ଶିକ୍ଷକ ଭାବରେ ନିଜ ଦାୟିତ୍ବ ସୁଚାରୁ ରୁପେ ତୁଲାଇଥିଲେ। ଆଜି ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଶତାଧିକ ଛାତ୍ରଛାତ୍ରୀ ସହିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ତାଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ କୁମାର ସୁନାନୀ ସଂଯୋଜନା କରିଥିବାବେଳେ ଶିକ୍ଷକ ନିଦାମ ସୁନାନୀ ଧନ୍ଯବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।