ତେନ୍ତୁଳିଖୁଣ୍ଟି, କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗ ପଦର, ମଞ୍ଚାଗାଁ ଲମତାଗୁଡ଼ା, ଗୌଡ଼ ଦେଓପାଲି ଗ୍ରାମ ପଞ୍ଚାୟତର କୋଡ଼ିଏ ଟି ଗ୍ରାମବାସୀଙ୍କୁ ବ୍ଲକ ସଦର ମହକୁମା ଯିବାକୁ ହେଲେ ଲମତାଗୁଡ଼ା ଦେଇ ଯିବାକୁ ପଡିଥାଏ। କିନ୍ତୁ ବର୍ଷା ଦିନେ ଅଧିକ ବର୍ଷା ହେଲେ ଆଉଁଳୀଗୁମ୍ମା ରୁ ଲାମତାଗୁଡ଼ା ସନ୍ଧି ନାଳ ଉପରେ ପାଣି ଦୁଇ ରୁ ତିନି ଫୁଟ ଯାଇଥାଏ। ତଦ୍ୱାରା ଉକ୍ତ ରାସ୍ତା ଦେଇ ଯିବା ଆସିବା ଏକ ପ୍ରକାର ବନ୍ଦ ହୋଇ ଯାଇ ଥାଏ। ଗତ କିଛି ଦିନ ହୋବ ଲଗାଣ ବର୍ଷା ଯୋଗୁଁ ଉକ୍ତ ନାଳ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉବାରୁ ଯାତାୟାତ ପ୍ରାୟ ଠପ୍ ହୋଇଯାଇଛି। ଉକ୍ତ ନାଳ ଉପରେ ଉଚ୍ଚବ୍ରିଜ ର ଆବଶ୍ୟକତା ନେଇ ବହୁ ବାର ଦାବି ସତ୍ତ୍ୱେ ବ୍ରିଜ କାର୍ଯ୍ୟ ହୋଇ ପାରିନାହିଁ । ବ୍ରିଜ ନିର୍ମାଣ ତିନି ବର୍ଷ ହେଲା ମନ୍ଥର ଗତିରେ ଚାଲିଥିଲା କିନ୍ତୁ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ଘରୋଇ ଜମି ରହିଥିବାରୁ ଜମି ମାଲିକ କ୍ଷତି ପୂରଣ ଦେଲେ ହିଁ କାମ କର ନଚେତ୍ କରିବାକୁ ଦେବୁନାହିଁ କହିଥିଲେ। ପ୍ରଶାସନ କ୍ଷତି ପୁରଣ ନେଇ କିଛି ପଦକ୍ଷେପ ନେଇ ନ ଥିବାରୁ ଠିକା ସଂସ୍ଥା କାମ ବନ୍ଦ କରି ଦେଇଛି। କେବଳ କାମ ବନ୍ଦ କରି ନାହିଁ କାର୍ଯ୍ୟ ସ୍ଥଳ ରୁ ନିଜ ସମସ୍ତ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଯନ୍ତ୍ରପାତି, ମେସିନ ମଧ୍ୟ ସ୍ଥାନାନ୍ତର କରି ଦେଇଛି। ବର୍ତ୍ତମାନ ପରିସ୍ଥିତିରେ ଅର୍ଦ୍ଧ ନିର୍ମିତ ବ୍ରିଜ ଯୋଗୁଁ ନାଳ ଉପରେ ଅଧିକ ମାତ୍ରାରେ ପାଣି ଯାଉଛି। ଖାତିଗୁଡ଼ା ପୋଲିସ ବିପଦ ଆଶଙ୍କା କରି ପହରା ଦେଇ ଦିନ ତମାମ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ କରିଛି। ବିଭିନ୍ନ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ କୁ ଯିବା ଶିକ୍ଷକ ତଥା କର୍ମଚାରୀ ଅତିରିକ୍ତ ଦୁଇ କିମି ଦୂରତା ଦେଇ ଆଊଁଳିଗୁମ୍ମା ରାସ୍ତାରେ ଯିବାକୁ ବାଧ୍ୟ ହୋଇଥିଲେ। ଆଉଁଳିଗୁମ୍ମା ଗ୍ରାମର ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାତ୍ର କିଲୋମିଟର ରାସ୍ତା ଗଲେ ବିଦ୍ୟାଳୟ କିନ୍ତୁ ବିଦ୍ୟାଳୟକୁ ବର୍ଷାରେ ଚାରି କିଲୋମିଟର ରାସ୍ତା ଫଟାଗୁଡ଼ା ,ଖୁଣ୍ଟିଆଗୁଡ଼ା ଦେଇ କର୍ଦ୍ଦମାକ୍ତ ରାସ୍ତା ଦେଇ ଯିବାକୁ ପଡୁଛି । ଦୀର୍ଘ ବର୍ଷ ଦାବୀ ଓ ପ୍ରତୀକ୍ଷା ପରେ ମଧ୍ୟ ଲମତାଗୁଡ଼ା ବ୍ରିଜ ନିର୍ମାଣ ଆରମ୍ଭ ହୋଇଥିଲା କାର୍ଯ୍ୟବନ୍ଦ ହୋଇଯାଇଥିବା ଯୋଗୁଁ ଆଶଙ୍କାରେ ଅଞ୍ଚଳ ବାସୀ।