ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (କୈଳାସ ଚନ୍ଦ୍ର ବିଷୋୟୀ) : ବର୍ଷା ଦିନେ ରାସ୍ତା କାଦୁଅ ହୋଇ ପଡୁଥିବାରୁ ଗତ ବର୍ଷ ବର୍ଷା ଦିନରେ ଗ୍ରାମବାସୀଙ୍କ ଚଲାପଥକୁ ସୁଗମ କରିବା ପାଇଁ ବ୍ଲକ ପ୍ରଶାସନଙ୍କ ହସ୍ତକ୍ଷେପ ପରଜ ରାସ୍ତା ସମତୁଲ ପାଇଁ ପଥର ଗୁଣ୍ଡ ଗଦା କରାଯାଇଥିଲା। କିନ୍ତୁ କାର୍ଯ୍ୟରେ ବିଲମ୍ୱ ହେତୁ ଏପର୍ଯ୍ୟନ୍ତ ପଥର ଗୁଣ୍ଡ ପକାଇ ସମତୁଲ କରା ଯାଇନାହିଁ। ଯାହାର ପରିଣାମ ଏବେ ଗ୍ରାମବାସୀ ଭୋଗୁଛନ୍ତି। ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ହାତିବାରୀ ଗ୍ରାମରେ। ସୂଚନା ଅନୁସାରେ, ହାତୀବାରୀ ଗାଁରେ ୬୦ ପରିବାରର ପ୍ରାୟ ୨୫୦ରୁ ଉର୍ଦ୍ଧ ଲୋକ ବାସକରନ୍ତି।ଉପରମୁଣ୍ଡା ଠାରୁ ହାତିବାରୀ ଗ୍ରାମ ପ୍ରାୟ ୪ କିଲୋମିଟର । ଉପରମୁଣ୍ଡା ଠାରୁ ଆଉ ପକ୍କା ରାସ୍ତା ନାହିଁ। ବର୍ଷା ଦିନରେ ଏହି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତମାନ ପରିସ୍ଥିତିରେ ଆମ୍ବୁଲାନ୍ସ ସହ ଜରୁରୀ କାଳୀନ ସେବା ରୁ ବଞ୍ଚିତ ରହିବେ ଗ୍ରାମବାସୀ। ଏହି ରାସ୍ତା ଦେଇ ଗ୍ରାମର ୩୦ ଜଣ ପିଲା ଲଦି ଗ୍ରାମ ସ୍ଥିତ ସରକାରୀ ସ୍କୁଲକୁ ପାଠ ପଢିବା ପାଇଁ ଯାଉଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଦେଶ ସ୍ୱାଧୀନ ହୋଇ ବହୁତ ବର୍ଷ ହୋଇ ଯାଇଥିଲେ ମଧ୍ୟ ହାତିବାରୀ ଗାଁ ଆଜି ଯାଏଁ ସ୍ୱାଧୀନ ହୋଇ ନାହିଁ। ଗାଁ ରେ ସ୍କୁଲ ଖଣ୍ଡେ ନାହିଁ କି ଭଲ ରାସ୍ତା ଖଣ୍ଡେ ନାହିଁ। ମୌଳିକ ସମସ୍ୟା ରେ ପଡି ରହିଛୁ। ତେଣୁ ଯଥା ଶୀଘ୍ର ରାସ୍ତା ମରାମତି କରାଯାଉ ବୋଲି ଗ୍ରାମର ଲକ୍ଷ୍ମଣ ଗୌଡ଼, ଲୋକନାଥ ଗୌଡ଼, ଥବିର ଗୌଡ଼, ଡମେନ ଜାନି, ଗୋପୀନାଥ ଜାନି, ଦିଲ୍ଲୀପ ସୁବୁଦ୍ଧି, ଶୁଭମ ସୁବୁଦ୍ଧି, ପିତାମ୍ବର ଗୌଡ଼, ଯାଦବ ଜାନି, ଖଗପତି ଜାନି,ହର ଗୌଡ଼ ପ୍ରମୁଖ ଦାବି କରିଛନ୍ତି। ଏନେଇ କନିଷ୍ଟ ଯନ୍ତ୍ରୀ ବିପିନ କୁମାର ତ୍ରିପାଠୀଙ୍କୁ ଯୋଗାଯଗ କରିବାରୁ ଉକ୍ତ ରାସ୍ତା କୁ ନେଇ ଆମେ ଅବଗତ ରହିବା ସହ ନୂତନ ଭାବେ ରାସ୍ତା ତିଆରି ପାଇଁ ଡିଆରଡିଏଙ୍କୁ ମଞ୍ଜୁର ପାଇଁ ପଠାଇଛୁ। କିପରି ଶୀଘ୍ର ମରାମତି କରାଯିବ ସେନେଇ ଆମେ କାର୍ଯ୍ୟଦେଶ ମିଳିବା କ୍ଷଣିକ ମରାମତି କରାଯିବ ବୋଲି କହିଥିଲେ।