କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ହସ ଖୁସିର ସହକାରେ ନିଜର ଜନ୍ମଦିନ ପାଳନ କରିଥାନ୍ତେ। ହେଲେ କିଏ ଜାଣିଥିଲା, ଜନ୍ମ ଦିନରେ ବିଦ୍ୟୁତ୍ ରୁପରେ ଯମ ନେଇଯିବ ଜୀବନ ବୋଲି। ମୋବାଇଲ ଚାର୍ଜ କରୁଥିବା ସମୟରେ ବିଦ୍ୟୁତ୍ ସସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା କୋକସରା ଥାନା ଚିଲିଗୁଡା ନୁଆପଡାରେ ଘଟିଛି। ଗ୍ରାମର ଡମ୍ବରୁଧର ନାଏକଙ୍କ ୧୩ ବର୍ଷର ନାବାଳକ ପୁଅ ପ୍ରତାପ ନାଏକ। ମୋବାଇଲ ଚାର୍ଜ କରୁଥିବା ସମୟରେ ବିଦ୍ୟୁତ୍ ସସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପରିବାର ବର୍ଗଙ୍କ କହିବା ଅନୁସାରେ, ଆଜି ପ୍ରତାପଙ୍କ ଜନ୍ମ ଦିନ ଥିବାରୁ ସେ ସ୍କୁଲ ନଯାଇ ଘରେ ରହିଥିଲେ। ତେବେ ତାଙ୍କ ବାପା, ମା’ ପ୍ରତାକୁ ଏକୁଟିଆ ଛାଡ଼ି ଚାଷ ଜମିକୁ ଯାଇଥିଲେ। ଫେରିଲେ ପ୍ରତାପଙ୍କ ଜନ୍ମ ଦିନ ପାଳନ ହୋଇଥାନ୍ତା। ହେଲେ ଘରକୁ ଫେରି ଦେଖିବା ବେଳକୁ ଅଚେତ ଅବସ୍ଥାରେ ପୁଅ ପ୍ରତାପ ପଡିଥିବା ଦେଖିବାକୁ ପାଇଥିଲେ। ତେବେ ନାବାଳକ ପ୍ରତାପ ବିଦ୍ୟୁତ୍ ସସ୍ପର୍ଶରେ ଆସି ଏଭଲି ହେଇଥିବା ଜାଣି ପରିବାର ଲୋକ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ପ୍ରତାପକୁ ମୃତ ବୋଲି ଘୋଷଣା କରିଥିଲେ। ଖବର ପାଇ କୋକସରା ଥାନା ପୁଲିସ ମେଡିକାଲରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଅନ୍ୟପଟେ ନାବାଳକ ପୁଅର ମୃତ୍ୟୁରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।