ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିଲେଟ ପଞ୍ଚାୟତ ଭଳି ଦୁର୍ଗମ ଅଞ୍ଚଳକୁ ଗମନାଗମନର ସୁବ୍ୟବସ୍ଥା ପାଇଁ ସରକାର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିଥିଲେ। ନାକରୁଣ୍ଡି ପଞ୍ଚାୟତର ଦାନ ମାଝୀଙ୍କ ଗାଁ ମେଲଘରା ଠାରୁ ସିଲେଟ ପର୍ଯ୍ୟନ୍ତ ୨୦୨୨ରୁ ଏଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ୧୨ କିଲୋମିଟର ଚାଲିବା ଯେଉଁ ଦାନ ମାଝୀଙ୍କ ଘଟଣା ଘଟିଥିଲା। ସେତେବେଳେ ଏଇ ଅଞ୍ଚଳର ବାସ୍ତବ ଚିତ୍ର ପଦାକୁ ଆସିଥିଲା। ଘଟଣାର ୫ ବର୍ଷ ପରେ ଏଇ ଦୁର୍ଗମ ଇଲାକାକୁ ସୁଗମ କରିବା ପାଇଁ ଏଇ ରାସ୍ତା ନିର୍ମାଣ ହୋଇଛି। ଯାହାର ଶିଳାନ୍ୟାସ କରିଥିଲେ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ । ୨୦୨୪ ସୁଦ୍ଧା ଏହି ରାସ୍ତା ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ଆଜି ପର୍ଯ୍ୟନ୍ତ ଅଧପନ୍ତରିଆ ଅବସ୍ଥାରେ ପଡିଛି। ନିର୍ମାଣାଧୀନ ରାସ୍ତାରେ ପଡୁଥିବା ରୁପେନ୍ ନିକଟ ଏହି ଡୁଡୁଙ୍ଗପଟା ନାଳ ଉପରେ ପୋଲ ନିର୍ମାଣ ପାଇଁ ପ୍ରକଳ୍ପରେ ଅର୍ଥ ଅଭାବ ରହିଥିବା ବେଳେ ରାସ୍ତା ନିର୍ମାଣକୁ ଅଧବାଟରେ ଛିଣ୍ଡାଇ ଦିଆଯାଇଛି। ଫଳରେ ଏହି ପଞ୍ଚାୟତର ରୂପେନ୍ ଦାଣ୍ଡପଦର, ସିଲେଟ, ସରମାଣ୍ଡି, ବୋର୍ଡିଝୋଲା, ଝାଞ୍ଜି, ଦୁର୍ବେଲଗୁଡ଼ା, କାନ୍ଦୁଲଗୁଡ଼ା, ବିଲାମାଳ,କୁଟଖାଲ,ପାଜିଖାଲ ଏବଂ ମାଳତୀପଦର ଭଳି ଦୁର୍ଗମ ଗାଁର ଲୋକେ ଏବେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ସୂଚନା ଦେଇଛନ୍ତି ସିଲେଟ ପଞ୍ଚାୟତ ବାସୀ। ଏପରି ସ୍ଥିତିରେ କୌଣସି ଗାଁକୁ ଅମ୍ବୁଲାନ୍ସ ସେବା ଅପହଞ୍ଚ ହୋଇପଡ଼ିଥିବା ସହିତ ଅନ୍ୟାନ୍ୟ ଜରୁରୀକାଳୀନ ସେବାରୁ ମଧ୍ୟ ବଞ୍ଚିତ ହେବାକୁ ପଡିଛି। ଗମନାଗମନର ସୁବ୍ୟବସ୍ଥା ନ ଥିବା ଯୋଗୁଁ ଭୁଶୁଡ଼ି ପଡ଼ିଛି ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା। ପ୍ରଶାସନ ପାଖରେ ଏହି ନାଳ ଉପରେ ପୋଲ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଯଥାଶୀଘ୍ର ସମ୍ଭବ ସମ୍ପୂର୍ଣ୍ଣ କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଅଞ୍ଚଳ।