ଭାଲୁ ଆକ୍ରମଣରେ ଯୁବକ ଗୁରୁତର ; ଡାକ୍ତରଖାନାରେ ଭର୍ତ୍ତି

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣେ ଯୁବକଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ରବିବାର କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ଜୟପାଟଣା ବ୍ଳକ ବଡପୁଝାରିଗୁଡା ଗ୍ରାମର ରଘୁମଣି ପାତ୍ର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ରଘୁମଣି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଗାଁ ନିକଟସ୍ଥ ନୂଆପଡା ରାସ୍ତାରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। କୌଣସି ପ୍ରକାରେ ରଘୁମଣି ଭାଲୁ କବଳରୁ ନିଜକୁ ରକ୍ଷା କରି ଘରକୁ ଆସିଥିଲେ। ରବିବାର ପରିବାର ଲୋକ ରଘୁମଣିଙ୍କୁ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ହେତୁ ରଘୁମଣିଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି।