ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ

ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ

ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ :  ଗତକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପରେ ଆଜି ରବିବାର ପୂର୍ବାହ୍ଣରେ ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିରଳ ସୁନାବେଶ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ମନ୍ଦିର ସେବାୟତଙ୍କ ଦ୍ୱାରା ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କୁ ସୁନା ଏବଂ ରୂପା ତିଆରି କିରୀଟି, ଓଢ଼ିଆଣୀ, ଶ୍ରୀଭୁଜ, ଶ୍ରୀପୟର,ମାଳି, କମରପଟି, ଚକ୍ର, କୁଣ୍ତଳ ଆଦି ଅଲଙ୍କାରରେ ସୁସଜ୍ଜିତ କରାଯାଇଥିଲା। ଏହା ପରେ ଅପରାହ୍ଣରେ ତିନି ରଥ ଉପରେ ଅଧରପଣା ନୀତି କରାଯାଇ ସଂଧ୍ଯାରେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସହ ଏବର୍ଷର ନବଦିନାତ୍ମକ ଯାତ୍ରା ସଂପନ୍ନ କରାଯାଇଥିଲା। ସୂଚନାଯୋଗ୍ଯ ଯେ, ୨୦୧୩ରେ ସିନାପାଲିରେ ଭବ୍ଯ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ପୁରୀ ଗଜପତି ମହାରାଜଙ୍କ ପରାମର୍ଶରେ ଏଠାରେ ପ୍ରତିବର୍ଷ ଶ୍ରୀଜିଉଙ୍କ ସୁନାବେଶ ସହ ପ୍ରାୟ ସମସ୍ତ ରୀତିନୀତି ଅନୁଷ୍ଠିତ ହେଉଛି। ସୁନାବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।