ଯାଜପୁର / କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା କୃଷି ବିଭାଗ ଆନୁକୁଲ୍ୟରେ ଆଗାମୀ ଖରିଫ ଋତୁ ୨୦୨୫ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ଯାଜପୁର ଏକ କୃଷି ପ୍ରଧାନ ଜିଲ୍ଲା। ଚାଷୀମାନଙ୍କ ନିମନ୍ତେ ସରକାର ବହୁତ ଯୋଜନା କରିଛନ୍ତି। କୃଷକ ମାନେ ଯେପରି ପ୍ରତ୍ୟେକ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି କୃଷି ବିଭାଗ ଅଧିକାରୀମାନେ ଯତ୍ନବାନ ହେବା ଆବଶ୍ୟକ। ଏହି ସବୁ ଯୋଜନା ଗୁଡ଼ିକୁ କୃଷକ ସମ୍ପର୍କ ମେଳା ଓ କୃଷି ସଚେତନତା ମାଧ୍ୟମରେ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବ୍ୟାଙ୍କ୍ ମାନେ ଚାଷୀ ମାନଙ୍କୁ ଋଣ ଯୋଗାଇ ଦେବାକୁ ଜିଲ୍ଲାପାଳ ଅଗ୍ରଣୀ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ସମବାୟ ବ୍ୟାଙ୍କ୍ ୬୮ କୋଟି ଋଣ ଯୋଗାଇ ଦେବାକୁ ଧାର୍ଯ୍ୟ ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଳିତ ମାସ ଶେଷ ସୁଦ୍ଧା ଜିଲ୍ଲାର ୬୩ ହଜାର ଚାଷୀଙ୍କୁ ପଞ୍ଜୀକୃତ କାର୍ଯ୍ୟ ଶେଷ କରିବାକୁ ବ୍ଲକ୍ କୃଷି ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା ସଭାକାର୍ଯ୍ୟ କୁ ଆଗେଇ ନେବା ସହ କାର୍ଯ୍ୟ ସୂଚୀ ଅନୁଯାୟୀ ୨୦୨୫ ମସିହା ଖରିଫ ଫସଲ ନିମନ୍ତେ ହୋଇଥିବା ଲକ୍ଷ୍ୟ ଧାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ଯାଜପୁର ଜିଲ୍ଲାରେ ୨୦୨୫ ମସିହା ସୁଦ୍ଧା ସମୁଦାୟ ୧୦୬୫୭୦ ହେକ୍ଟର ଜମିରେ ଧାନ ଚାଷ, ସମୁଦାୟ ୧୫୪୦ ହେକ୍ଟର ଜମିରେ ମକା ଚାଷ, ସମୁଦାୟ ୫୦୦ ହେକ୍ଟର ଜମିରେ ମିଲେଟ୍ ଚାଷ, ସମୁଦାୟ ୪୯୯୦ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ, ସମୁଦାୟ ୩୦୦ ହେକ୍ଟର ଜମିରେ ତୈଳ ବୀଜ ଚାଷ, ୭୯୦ ହେକ୍ଟର ଜମିରେ ଝୋଟ ଚାଷ ଏବଂ ସମୁଦାୟ ୨୦୮୦ ହେକ୍ଟର ଜମିରେ ମସଲା ଚାଷ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ୨୦୨୫ ମସିହା ସୁଦ୍ଧା ଯାଜପୁର ଜିଲ୍ଲାରେ ପ୍ରମୁଖ ଜଳ ସେଚନ, କ୍ଷୁଦ୍ର ଜଳସେଚନ, ବୃହତ୍ ଉଠା ଜଳ ସେଚନ, କ୍ଷୁଦ୍ର ଉଠା ଜଳସେଚନ ଏବଂ ଅନ୍ୟାନ୍ୟ ଉତ୍ସରୁ ସମୁଦାୟ ୧୦୭୫୭୨.୪୧ ହେକ୍ଟର ଜମିରେ ଜଳସେଚନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୫- ୨୬ ମସିହା ମୃତ୍ତିକା ପରୀକ୍ଷା କରାଯାଇ ବ୍ଲକ୍ ୱାରୀ ୯୬୧୪ ନମୁନା ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୫ ମସିହା ସୁଦ୍ଧା ୧୨୪୨୬ ମେଟ୍ରିକ୍ ଟନ୍ ରାସାୟନିକ ସାର ଯଥା: ଫସଫରସ, ପୋଟାସ ଓ ଯବକ୍ଷାରଜାନ ବ୍ୟବହାର ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉକ୍ତ ବୈଠକରେ ଫସଲ ସୁରକ୍ଷା ଯୋଜନା, କୃଷି ଯାନ୍ତ୍ରିକକରଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଋଣ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ଅଗ୍ରଣି ବ୍ୟାଙ୍କ୍ ପରିଚାଳକ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।