ଆମପାଣି ଠାରେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଓଡ଼ିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ୬ ଦଫା ଦାବି ନେଇ ମଙ୍ଗଳବାରଠାରୁ ସାରା ରାଜ୍ୟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରାଯାଇଛି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ କୋକସରା ଡ୍ରାଇଭର ମହାସଂଘ ପକ୍ଷରୁ ଆମପାଣିଠାରେ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇଛନ୍ତି। କୋକସରା ଡ୍ରାଇଭର ମହାସଂଘର ସଭାପତି ଜଗନ୍ନାଥ ଦଳପତିଙ୍କ ନେତୃତ୍ବରେ ଡ୍ରାଇଭର ମାନେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ସିମାନ୍ତ ଆମପାଣି ଦେଇ ନବରଙ୍ଗପୁରକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥର ଜିରୋ ପଏଣ୍ଟ ନିକଟରେ ଏକ ପ୍ରତିବାଦ ସଭା କରି ସେମାନେ ଦାବି ଉପସ୍ଥାପନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ଡ୍ରାଇଭର୍‌ ଉନ୍ନୟନ ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରିବା ସହ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ୬୦ ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା, ଗାଡ଼ି ପାଇଁ ପାର୍କିଂସ୍ଥଳ ଓ ଡ୍ରାଇଭରଙ୍କ ବିଶ୍ରାମ ପାଇଁ ସ୍ଥାନ, ଖଣି ଖାଦାନ ଏବଂ କାରଖାନାରେ ୭୦ପ୍ରତିଶତ ଓଡ଼ିଆ ଡ୍ରାଇଭର ନିଯୁକ୍ତି ଓ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ଘୋଷଣା ଇତ୍ୟାଦି ରହିଛି। ତେବେ ଆଗାମୀ ଦିନରେ ଦାବି ଗୁଡିକ ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି। ଅନ୍ୟପଟେ ପ୍ରଥମ ଦିନରେ ହିଁ ରାସ୍ତା ଶୁନଶାନ୍ ହୋଇଥିବାବେଳେ ବସ୍ କିମ୍ବା ଚାରି ଚକିଆ ଯାନ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।