ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ : କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ଥାନା କୁସୁମଖୁଣ୍ଟି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରକୁ ଯାଇଥିବା ବିଦ୍ୟୁତ ତାର ଛିଣ୍ଡି ଯିବାରୁ ତାର ସଜଡ଼ାଇବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ କୁସୁମଖୁଣ୍ଟି ଗ୍ରାମର ପଦ୍ମନ ବେହେରାଙ୍କ ପୁଅ ଦୁଃଖିଧନ ବେହେରା(୩୦) ବୋଲି ଜଣାପଡ଼ିଛି। ଏପଟେ ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ଦାବି କରି ୨୬ ନମ୍ବର ଜାତୀୟ ରାଜପଥ କୁସୁମଖୁଣ୍ଟି ନିକଟରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁସାରେ, ଆଜି କୁସୁମଖୁଣ୍ଟି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରକୁ ଯାଇଥିବା ବିଦ୍ୟୁତ୍ ତାର ଛିଣ୍ଡି ଯିବାରୁ ବେସରକାରୀ କର୍ମଚାରୀ ଦୁଃଖିଧନ ବେହେରାଙ୍କୁ ବ୍ୟକ୍ତି ଜଣକ ତାର ସଜାଡ଼ିବାକୁ ଡକାଇ ଥିଲା। ତେବେ ତାର ସଜାଡ଼ିବାକୁ ଯାଉଥିବା ସମୟରେ ଯୁବକ ଦୁଃଖିଧନଙ୍କ ପାଦ ସଟ୍ ଏରିଆରେ ପଡ଼ିଯିବାରୁ ବିଦ୍ୟୁତ୍ ଆଘାତ ଲାଗି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଣେ ଘରଠାରୁ ଦୁଇ ଶହ ମିଟର ଦୂର ସ୍ଥାନକୁ ବିଦ୍ୟୁତ୍ ସଂଯୋଗ ଦେବା ଆଗରୁ ବିଦ୍ୟୁତ୍ ବିଭାଗ କାହିଁକି ଆଉ ଏକ ବିଦ୍ୟୁତ୍ ପୋଲ ସଂଯୋଗ କଲେ ନାହିଁ ବୋଲି ଅଭିଯୋଗ କରିବା ସହ ଏଥିପାଇଁ ବିଦ୍ୟୁତ ବିଭାଗର ଅବହେଳାକୁ ମଧ୍ୟ ଲୋକେ ଦାୟୀ କରିଛନ୍ତି। ଅନ୍ୟପଟେ ମୃତ ଯୁବକଙ୍କ ପରିବାର ଲୋକେ ତାର ସଜାଡ଼ିବାକୁ ଡାକିଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ଦାବି କରି ୨୬ ନମ୍ବର ଜାତୀୟ ରାଜପଥ କୁସୁମଖୁଣ୍ଟି ନିକଟରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା- ନବରଙ୍ଗପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବର ପାଇ କୋକସରା ଥାନା ଅଧିକାରିଣୀ ସ୍ନିଗ୍ଧା ରାଣୀ ସୁନା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଳ ଥିବାରୁ ଆଲୋଚନାରେ ବିଫଳ ହୋଇଛନ୍ତି। ଅନ୍ୟପଟେ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ଘଟଣା ସ୍ଥଳରେ ପହଞ୍ଚି ଦିର୍ଘ ସମୟ ଧରି ବୁଝାସୁଝା ଜାରି ରଖିଥିଲେ ହେଁ ସେମାନେ ନିଜ ଜିଦ୍ ରେ ଅଟଳ ରହି ଥିବାବେଳେ ବର୍ପତ୍ତମାନ ର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନଥିବା ଜଣାପଡିଛି।