ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣା ; କଳାହାଣ୍ଡିରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ବାଲେଶ୍ୱର ଏଫ୍ଏମ କଲେଜର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆକ୍ରୋଶ ବ୍ୟାପିଛି। ଏହି ଘଟଣା ପ୍ରତି ତୀବ୍ର ପ୍ରତିକ୍ରିୟା ଜଣାଇ କଳାହାଣ୍ଡି ଜିଲ୍ଳା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭବାନୀପାଟଣା ରେ ଅବସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ କଲେଜ ଛାତ୍ର ଓ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ବିକ୍ଷୋଭ କରିଛନ୍ତି। ତେବେ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିତି ବିରୋଧରେ ତୀବ୍ର ସ୍ୱର ଉଠାଇଛନ୍ତି ଓ ତାଙ୍କ କୁଶପୁତ୍ତଳିକା ଦାହ କରି ନିନ୍ଦା ପ୍ରକାଶ କରିଛନ୍ତି। ବିକ୍ଷୋଭକାରୀମାନେ ଘଟଣାର ନିଷ୍ପକ୍ଷ ତଦନ୍ତ ଓ ଦୋଷୀଙ୍କୁ ଦୃଢ଼ ଶାସ୍ତି ଦେବାକୁ ଦାବି କରିଛନ୍ତି। ଏହା ସହ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷିତ ଶିକ୍ଷା ପରିବେଶ ପ୍ରଦାନ କରିବା ପାଇଁ ସରକାର ଦ୍ୱାରା ଉଚିତ ପଦକ୍ଷେପ ନେବାକୁ ଆବଶ୍ୟକ ବୋଲି ଦାବି କରାଯାଇଛି।