ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ନବରଙ୍ଗପୁର ବନଖଣ୍ଡ ଝରିଗାଁ ରେଞ୍ଜ ମୋହରା ଫରେଷ୍ଟ ସେକ୍ସନ ଦଳବେଡା ଅଧିନସ୍ଥ କାଦୋପାଣି ଗ୍ରାମବାସୀଙ୍କ ଠାରୁ ଜଙ୍ଗଲ ଜମି ପଟ୍ଟା କରିଦେବା ପାଇଁ ବନବିଭାଗ କର୍ମଚାରୀ ଅର୍ଥ ଆଦାୟ କରି ଆଦିବାସୀଙ୍କୁ ନକଲି କାଗଜ ପତ୍ର ଦେଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ମୋହରା ସେକ୍ସନର କାଦୋପାଣି ଜଙ୍ଗଲ ମଧ୍ୟରେ ୧୭ ଆଦିବାସୀ ପରିବାର ଦୀର୍ଘ ବର୍ଷରୁ ବସତି କରିଆସୁଛନ୍ତି। ଗ୍ରାମର ସମସ୍ତେ ଜଙ୍ଗଲ ଜମିରେ ଚାଷବାସ କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଆଦିବାସୀମାନଙ୍କୁ ସରକାରଙ୍କ ପକ୍ଷରୁ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉଛି। କିନ୍ତୁ କାଦୋପାଣି ଗ୍ରାମର ସମସ୍ତେ ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି। ଜଙ୍ଗଲ ଜମିପଟ୍ଟା ପାଇବା ପାଇଁ ଅନେଇ ବସିଥିବା ଆଦିବାସୀଙ୍କୁ ସୁଯୋଗ ନେଇ ଜମିପଟ୍ଟା କରିଦେବା ପାଇଁ ତତ୍କାଳୀନ ଫରେଷ୍ଟର ପ୍ରଦୀପ୍ତ କୁମାର ଦାସ ଚଞ୍ଚକତା କରି ହିତାଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା କାଦୋପାଣି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଫରେଷ୍ଟର ପ୍ରଦୀପ୍ତ କୁମାର ଦାସ ଝରିଗାଁ ବନାଞ୍ଚଳ ମୋହରା ସେକସନରେ ବିଗତ ୨୦୨୩ ମସିହାରେ ଦାୟିତ୍ୱରେ ଥିବା ସମୟରେ କାଦୋପାଣି ଗ୍ରାମବାସୀଙ୍କୁ ପଟ୍ଟା କରିଦେବା ପାଇଁ କହିଥିଲେ, ଜଣେ ବିଭାଗୀୟ ସରକାରୀ କର୍ମଚାରୀଙ୍କ କଥାକୁ ବିଶ୍ୱାସ କରି ଗ୍ରାମର କେତେ ଜଣ ହିତାଧିକାରୀ ୮ ହଜାର ଦେଲେ ଓ ଅନ୍ୟ କେତେ ଜଣ ୧୦ ହଜାର ଟଙ୍କା ଦେଇଥିଲେ। ଏହିଭଳି ଗାଁରେ ୧୭ ଜଣ ବ୍ୟକ୍ତି ପଟ୍ଟା ପାଇଁ ଫରେଷ୍ଟରଙ୍କୁ ଟଙ୍କା ଦେଇଥିଲେ। ପରେ ଗ୍ରାମବାସୀଙ୍କୁ ଫରେଷ୍ଟର ଗୋଟେ ଗୋଟେ ରସିଦ ଏବଂ କୋର୍ଟ ଷ୍ଟାମ୍ପ ପେପର ଦେଇଥିଲେ ଯାହାକି ଜଙ୍ଗଲ ଜମି ଆବେଦନ କିମ୍ବା ଜଙ୍ଗଲ ଜମିପଟ୍ଟା ପାଇବା ପାଇଁ ଦରକାରୀ ନୁହେଁ। ଯେଉଁ ଜଙ୍ଗଲ ଜମିରେ ଆଦିବାସୀମାନେ ଦୀର୍ଘ ବର୍ଷରୁ ଚାଷ କରିଆସୁଥିଲେ ବନବିଭାଗ ପକ୍ଷରୁ ସେହି ଜମିରେ ଗଛ ଲଗାଇବାକୁ ଜଙ୍ଗଲ ବିଭାଗ ପକ୍ଷରୁ କୁହାଗଲା। ଜଙ୍ଗଲ ଜମିର ସମସ୍ତ କାଗଜ ପତ୍ର ଅଛି କହି ଗଛ ଲଗାଇବା ପାଇଁ ବିରୋଧ କରିଥିଲେ। ଫରେଷ୍ଟର ଦେଇଥିବା ସମସ୍ତ କାଗଜ ପତ୍ର ଧରି ଝରିଗାଁ ରେଞ୍ଜ କାର୍ଯ୍ୟାଳୟକୁ ନେଇ ଦେଖାଇଥିଲେ ଏବଂ ଝରିଗାଁ ବନାଞ୍ଚଳ ଅଧିକାରୀ ଏହା ନକଲି, ଏହା କୌଣସି କାର୍ଯ୍ୟରେ ଲାଗିବ ନାହିଁ ବୋଲି କହିଥିଲେ। ଏହିଭଳି ଜାଲିଆତି ହୋଇ ଠକାମୀର ସ୍ୱୀକାର ହୋଇଥିବା ଜାଣି ଏବେ ଚିନ୍ତାରେ ଆଦିବାସୀ ପରିବାର। ହିତାଧିକାରୀଙ୍କ ଠାରୁ ଧାର୍ଯ୍ୟ ଦେୟ ଓ ଆନୁସଙ୍ଗିକ ଖର୍ଚ୍ଚ ଜାଲ ରସିଦରେ ଜାଲିଆତି କରି ଶ୍ରୀଦାସ ଏବେ ରାଇଘର ରେଞ୍ଜ ଅଧୀନକୁ ବଦଳି ଯାଇଛନ୍ତି। ଏଭଳି ଚାଞ୍ଚକତା କରି ଆଦିବାସୀଙ୍କ ଟଙ୍କା ଆତ୍ମସାତ କରିଥିବା ସରକାରୀ ବାବୁଙ୍କ ପ୍ରତି ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଡିଏଫ୍ଓ ଙ୍କୁ ପଚାରିବାରୁ ଅଭିଯୋଗ ଆସିଲେ ନିଶ୍ଚିତ ଭାବରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।