ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍:ମିଶନ ଶକ୍ତି ଦ୍ବାରା ପରିଚାଳିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବି କରିବା ପାଇଁ ସରକାର ବିଭିନ୍ନ ସମୟରେ ରୋଜଗାରର ସୁଯୋଗ ପ୍ରଦାନ ନିମିତ୍ତ ସଂସ୍ଥାନ ପ୍ରୋତ୍ସାହନ କରାଯାଉଛି।ସେହିପରି ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମଧ୍ୟ ଏଭଳି ବିଭିନ୍ନ ରୋଜଗାରର ମାଧ୍ୟମ ପାଇଁ ତାଲିମ ଓ ଆର୍ଥିକ ସହଯୋଗର ସୁଯୋଗ ପ୍ରଦାନ କରାଯାଉଛି।ଏହି ଅବସରରେ ବୁଧବାର ଥୁଆମୂଳ ରାମପୁର ମିଶନ ଶକ୍ତି ଭବନ ଠାରେ ମହୁ ଚାଷ ଓ ପ୍ରଣାଳୀ ଉପରେ ୭ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ଏଥିରେ ବ୍ଲକର କର୍ଲାପାଟ, ଗୁଣପୁର, ଗୋପାଳପୁର ଏବଂ ଥୁଆମୂଳ ରାମପୁର ପଞ୍ଚାୟତର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ୫୦ ଜଣ ମହିଳାଙ୍କୁ ଏହି ତାଲିମ ନେବାର ସୁଯୋଗ ମିଳିପାରିଛି। ଥୁଆମୂଳ ରାମପୁର ବ୍ଲକ ଏକ ବଣଜଙ୍ଗଲ ଭଳି ପ୍ରାକୃତିକ ପରିବେଶ ମଧ୍ୟରେ ମହୁ ଚାଷ ଏକ ଉତ୍ତମ ଅଞ୍ଚଳ ହୋଇଥିବା ଯୋଗୁଁ ଏହି ଅଞ୍ଚଳରେ ମହୁ ଚାଷ କରି ଅର୍ଥ ରୋଜଗାର କରିପାରିବେ।ଏଣୁ ଏହି ଅଞ୍ଚଳର ମିଶନ ଶକ୍ତିର ମହିଳା ମାନଙ୍କୁ ଏହି ଚାଷ ସମ୍ବନ୍ଧରେ ତାଲିମ ପ୍ରଦାନ ଏବଂ ଆବଶ୍ୟକୀୟ ଉପକରଣ ଯୋଗାଇବା ପାଇଁ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଥିଲେ।ଫଳ ସ୍ବରୂପ ଯାହା ସାକାର ହେବାକୁ ଯାଉଛି। ଓଡିଶା ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ମହୁ ଚାଷ ସମ୍ବନ୍ଧୀୟ ୭ ଦିନିଆ ଏହି ତାଲିମ ଶିବିରକୁ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି।ବିଭାଗର ଦୁଇ ଅଧିକାରୀ ଚନ୍ଦ୍ରହାସ୍ୟ ନାୟକ ଏବଂ ଗୋପବନ୍ଧୁ ପଧାନଙ୍କ ଉପସ୍ଥିତିରେ ଦୁଇ ମାଷ୍ଟର ପ୍ରଶିକ୍ଷକ ହରପ୍ରସାଦ ପଟ୍ଟନାୟକ ଏବଂ ଶିବ କୁମାର ପଣ୍ଡା ତାଲିମ ଦେଉଥିବା ବେଳେ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି ସୁପରଭାଇଜର ନିରଞ୍ଜନ ଦାଶ।ମିଶନ ଶକ୍ତି ଥୁଆମୂଳ ରାମପୁର ବିପିସି ତଥା ଭାରପ୍ରାପ୍ତ ବିପିଏମ୍ ପ୍ରତାପ କୁମାର ନାୟକ, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଗୁଣପୁର ପଞ୍ଚାୟତ ସରପଞ୍ଚ ସୁଜାତା ମାଝୀ ଏବଂ କର୍ଲାପାଟ ସରପଞ୍ଚ ବିଶ୍ବନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।