ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ୧୩ ମଇରେ ବିଦ୍ୟୁତ୍, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଗ୍ରାମ୍ୟ ଉନ୍ନୟନ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଆଦିର ଅଧିକାରୀଙ୍କୁ ନେଇ ତେନ୍ତୁଳିଖୁଣ୍ଟି ପଞ୍ଚାୟତର ବିଜାପଦର, ମଧୁଗୁଲୁମି, ଲଦି ପଦର, ବରଡା ଝୋଡ଼ି ଭଳି ଦୁର୍ଗମ ଅଞ୍ଚଳ ସବୁ ବୁଲି ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।ସେମାନଙ୍କ ମୌଳିକ ସୁବିଧା ଯଥା ପାନୀୟ ଜଳଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ।ଖୁବଶୀଘ୍ର ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ବିଭିନ୍ନଦାବୀ ଏବଂ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବେ ବୋଲି ବିଧାୟକ କହିଥିଲେ। ସେଦିନ ବିଧାୟକ ବାଇକ ଯୋଗେ ବରଡାଝୋଡି ଗ୍ରାମକୁ ଯାଇଥିଲେ,ରାସ୍ତାରେ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ଗୁଡିକର ଗଛ ବହୁଳ ଭାବରେ କଟା ଯାଇଥିବା ବେଳେ ଅନେକ ସ୍ଥାନରେ ପୋଡ଼ୁଚାଷ ପାଇଁ ଜଙ୍ଗଲ କଟା ଯାଇଥିବା ବିଧାୟକ ମାଝୀ ଦେଖି ଉଦବେଗ ପ୍ରକାଶ କରିଥିଲେ ଏବଂ ଗମନାଗମନର ସୁବିଧା ନଥିବା ଯୋଗୁଁ ବିଭାଗୀୟ ଅଧିକାରୀ ଅସୁନଥିବା ମତ ପ୍ରକାଶ ପାଇଥିଲା।ବରଡାଝୋଡି ଗ୍ରାମର ରାସ୍ତା, ବିଦ୍ୟୁତ ସମସ୍ୟା ସହିତ ଗ୍ରାମବାସୀ ପୋଖରୀ, ବନ୍ଦ ହୋଇଥିବା ବିଦ୍ୟାଳୟ ଖୋଲିବା ପାଇଁ ନିବେଦନ କରିଥିଲେ ଗ୍ରାମବାସୀ। ଅଙ୍ଗନବାଡି କର୍ମୀ ଅଧିକାଂଶ ସମୟରେ ଆସୁ ନଥିବା ଅଭିଯୋଗ ମଧ୍ୟ ଶୁଣିଥିଲେ। ବିଧାୟକଙ୍କ ଅଧିକାରୀ ଙ୍କୁ ନିର୍ଦ୍ଦେଶ ସତ୍ବେ ଆଜି ବି ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟିଆରେ ପାଞ୍ଚ କିଲୋମିଟର ନେବା ପରେ ଆମ୍ବୁଲାନ୍ସ ସେବା ମିଳୁଛି । ବିଧାୟକ ସାଧାରଣ ଲୋକଙ୍କ ପାଇଁ ଯେ କୌଣସି ସ୍ଥାନରେ ମଧ୍ୟ ଯିବାପାଇଁ ପ୍ରସ୍ତୁତ ଥିବା ବେଳେ ଅଧିକାରୀ ତତକାଳ ଯାନ ବାହନ ଯିବା ଭଳି ମାଟି ରାସ୍ତା ଟିଏ ନ କରିବା ଉଦବେଗର ବିଷୟ। କୋଟି କୋଟି ଟଙ୍କା ବନ୍ୟା ନିୟନ୍ତ୍ରଣ ନାମରେ ବାଲି ବସ୍ତା ରଖିବାରେ ଖର୍ଚ୍ଚ ହେଉଛି କିନ୍ତୁ ଅତ୍ୟାବଶ୍ୟକୀୟ ସେବା ପାଇଁ ରାସ୍ତା ଟିଏ ଜେସିବି ଲଗାଇ କରାଯାଉ ନଥିବା କି ପ୍ରକାର ମାନସିକତା ବୋଲି ପ୍ରଶ୍ନ ଉଠୁଛି। ଗତକାଲି ଗର୍ଭବତୀ ମହିଳା ସୁନୀତା ଜାନୀ ସ୍ବାମୀ ଲକ୍ଷ୍ମଣ ଜାନୀଙ୍କ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ କୁ ନେବା ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଛି। ସେ ଦିନ ସିନା ମୃତ ସ୍ତ୍ରୀର ଶବ କାନ୍ଧରେ ନେଉଥିଲା ଫଟୋ ଓ ଭିଡ଼ିଓ ଭାଇରଲ ପରେ ଦାନ ମାଝୀକୁ ଟଙ୍କା ବର୍ଷା ହୋଇଥିଲା କିନ୍ତୁ ଏଠାରେ ରାସ୍ତା ଟିଏ ହୋଇ ପାରୁନି। ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୌଳିକ ସୁବିଧା ଦାବୀରେ ଏହି ଦୁର୍ଗମ ଅଞ୍ଚଳ ବାସୀ ଭୋଟ ବର୍ଜନ କରି ଥିଲେ, ତଥାପି ଯେଉଁ ତିମିରେ ସେହି ତିମି।