ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ଭାବିଥିଲେ କାହାରିକୁ ଜଣାପଡ଼ିବ ନାହିଁ, ଆରାମରେ ବସ୍ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରି ମାଲମାଲ ହୋଇଯିବେ। ହେଲେ ଛକି ରହିଥିଲା ଅବକାରୀ ବିଭାଗ, ମାଡ଼ି ବସିଲା ବସ୍ ଉପରେ। ଆଉ ତଲାସି ବେଳେ ବସ୍ ଝର୍କା ଦେଇ ଫେରା ମାରିଥିଲେ ବି ଯାଇ ପଚାରିଲେ ନଥିଲେ ବହୁ ଦୂର, ଧରିନେଲା ଅବକାରୀ ପୋଲିସ। ବର୍ତ୍ତି ପାରିଲେନି ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ। ଏବେ ବନ୍ଧାହୋଇ ଜେଲ ହାତରେ। ସୂଚନା ମତେ’ ଗତକାଲି ସନ୍ଧ୍ୟାରେ ଭବାନୀପାଟଣା- ମୁଖୀଗୁଡା, ଲଡୁଗାଁ ଭାୟା ବିଶାଖାପାଟଣା ବସରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଜୟପାଟଣା ରାଜବାଟି ଛକ ନିକଟରେ ବସ ଆସିବା ପୂର୍ବରୁ ଛପିରହିଥିଲେ ଅବକାରୀ ବିଭାଗ। ବସଟି ମୁଖୀଗୁଡା ପଟୁ ଜୟପାଟଣା ଆସୁଥିବାବେଳେ ରାଜବାଟି ଛକରେ ତଲାସୀ କରାଯାଇଥିଲା। ତଲାସୀବେଳେ ଦୁଇ ଜଣ ଯୁବକ ଏୟାର ବେଗରେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଥିଲା। ତାଙ୍କ ଠାରୁ ୧୨ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଅଭିଯୁକ୍ତ ଦୁହିଁଙ୍କୁ ଧର୍ମଗଡ଼ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଅଭିଯୁକ୍ତ ଦୁହେଁ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଳୁରୁର ନାଦୀମ ପାଶା ଓ ସାୟଦ ଆଜଗର ବୋଲି ଜଣାପଡ଼ିଛି। କେଉଁଠାରୁ ଗଞ୍ଜେଇ ଆସିଥିଲା ଓ କେଉଁଠି କୁ ଯାଉଥିଲା ସେ ଦିଗରେ ତଦନ୍ତ ଚାଲିଥିବା ଜୟପାଟଣା ଅବକାରୀ ଥାନା ଅଧିକାରୀ ନରେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି।