ଯୌନ ନିର୍ଯାତନା ଏବଂ ଏସ୍.ସି ,ଏସ୍.ଟି ଅତ୍ୟାଚାର ନିବାରଣ ଆଇନ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଯୌନ ନିର୍ଯାତନା ସୁରକ୍ଷା ଆଇନ ଏବଂ ଏହାର ବିଭିନ୍ନ ବ୍ୟବସ୍ଥା ଉପରେ ସଚେତନାକରଣ” ଉପରେ ସଚେତନତା କାର୍ଯ୍ୟକ୍ରମ ଏବଂ ତଫସିଲଭୁକ୍ତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଉପରେ ଆଜି ଥୁଆମୂଳ ରାମପୁର ଏମ୍.ଏମ୍.ପି.ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁରୁବାର ତାଲୁକ ଆଇନ୍ ସେବା କମିଟି ଥୁଆମୂଳ ରାମପୁର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜେ.ଏମ୍.ଏଫ୍.ସି ବିଚାରପତି ଡ:ତାରିଣୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏନେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଦେବଦତ୍ତ ଯୋଷୀ,ଆଇନଜୀବୀ ଦିଲ୍ଲୀପ କୁମାର ନାଏକ ଏବଂ ଆଇନଜୀବୀ ପ୍ରିୟଙ୍କା ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କିତ ବିଷୟରେ ସଚେତନ କରିଥିଲେ। ଯୌନ ଉତ୍ପୀଡନ ଆଇନ ୨୦୧୩ ଓ ଏସ୍.ସି , ଏସ୍.ଟି ଉପରେ ଜାତିଆଣ ଭାବ ତଥା ଅତ୍ୟାଚାର ନିବାରଣ ଆଇନରେ ଥ‌ିବା ବିଭିନ୍ନ ପ୍ରକାରର ଧାରା,ଯୌନ ନିର୍ଯାତନାର ପ୍ରକାର ଭେଦ,ଯୌନ ନିର୍ଯାତନାର ପ୍ରଭାବ, ଅଭିଯୋଗ କରିବାର ପ୍ରକ୍ରିୟା, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଦାୟିତ୍ବ ଏବଂ ଦଣ୍ଡ ବିଧାନ ବ୍ୟବସ୍ଥା ଉପରେ ବୁଝାଇଥିଲେ। ବିଭିନ୍ନ ପ୍ରକାର ଉପାୟରେ ଓ ଢ଼ଙ୍ଗରେ ନିଜର ଯୌନ ସଂପର୍କିତ ଆଚରଣ ଜଣଙ୍କ ଇଚ୍ଛା ବିରୁଦ୍ଧରେ ବାରମ୍ବାର ତାଙ୍କ ସମ୍ମୁଖରେ ପ୍ରଦର୍ଶନ କରି ତାଙ୍କୁ ଅଯଥା ହଇରାଣ ହରକତ କରିବାର ଅର୍ଥ ହେଉଛି ତାଙ୍କୁ ଯୌନ ଉତ୍ପୀଡ଼ନ ଦେବା। ଏହି କ୍ରମରେ ଆସୁଛି ଜଣକ ଇଚ୍ଛା ବିରୁଦ୍ଧରେ ବା ତାଙ୍କ ପ୍ରତିବାଦ ସତ୍ତ୍ୱେ ତାଙ୍କ ଆଡ଼କୁ ବାରମ୍ବାର ଯୌନ ସଂପର୍କିତ ପ୍ରସ୍ତାବ ଧରି ଅଗ୍ରସର ହେବା, ତାଙ୍କଠାରୁ ଯୌନ ସଂପର୍କିତ ସାହାଯ୍ୟ ବା ସହଯୋଗ ମାଗିବା, ବାଚନିକ ସ୍ତରରେ ଯୌନ ସଂପର୍କିତ କଥା ତାଙ୍କ ସହ ଆଲୋଚନା କରିବା ବା ଶାରୀରିକ ସଂପର୍କ ରକ୍ଷା ପାଇଁ ଅନୁରୋଧ ଜଣାଇବା ଇତ୍ୟାଦି ହେଉଛି ଯୌନ ଉତ୍ପୀଡ଼ନର ପରିସରଭୁକ୍ତ।ଯଦି ଏଭଳି କୌଣସି ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହା ବିରୁଦ୍ଧରେ କେଉଁ ଭଳି ପଦକ୍ଷେପ ନିଆଯାଇ ପାରିବ ଏହାକୁ ରୋକିବା ପାଇଁ କଣ କରିବା ଉଚିତ୍ ଓ କଣ ନ କରିବା ଉଚିତ ଏନେଇ ବିସ୍ତୃତ ଭାବରେ ବୁଝାଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ତାଲୁକ ଆଇନ୍ ସେବା ସମିତିର ସଭ୍ୟା ସରୋଜିନୀ ମାଝୀ, ସମାଜସେବୀ ସୁଦର୍ଶନ ନାଏକ ଏବଂ ସବ୍ ଇନ୍ସପେକ୍ଟର ପ୍ରହଲ୍ଲାଦ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ମଞ୍ଚକୁ ପରିଚାଳନା କରିଥିଲେ ସ୍ଥାନୀୟ ଅଧ୍ୟାପକ ସରୋଜ କୁମାର ପାଟ୍ଟଯୋଷୀ ଜେ.ଏମ୍.ଏଫ୍.ସିର କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।