ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତିନିଧିଙ୍କୁ ଅଣଦେଖା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମୁନ୍ନା ଦଳେଇ) : ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାର ଉଦ୍ଦେଶ୍ୟ ତେନ୍ତୁଳିଖୁଣ୍ଟି ବ୍ଲକରେ ପଥଚ୍ୟୁତ ହୋଇଥିବା ଓ ଏଥିପାଇଁ ବ୍ଲକ ପ୍ରଶାସନ ଦାୟୀ ବୋଲି ଜିଲ୍ଲାପାଳ ଡକ୍ଟର ମହେଶ ସ୍ୱାଇଁଙ୍କ ପାଖରେ ଫେରାଦ ହୋଇଛନ୍ତି ପଞ୍ଚାୟତ ରାଜ ପ୍ରତିନିଧି ସମନ୍ଵୟ ସଂଘ। ସରକାରଙ୍କ ଯୋଜନା କଣ ସ୍ଥିତି କଣ କେଉଁଠି କାର୍ଯ୍ୟକାରୀ ହେଉଛି ଆଦି ସମ୍ପର୍କରେ ସରପଞ୍ଚ ଓ ସମିତି ସଭ୍ୟ ଙ୍କୁ ଅନ୍ଧକାରରେ ରଖାଯାଇଛି ବୋଲି ବିଡ଼ିଓଙ୍କୁ ଅଭିଯୋଗ ପରେ ମଧ୍ୟ ଫଳ କିଛି ନ ମିଳିବାରୁ ଜିଲ୍ଲା ପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସମିତି ବୈଠକ କେବଳ ନାମକୁ ମାତ୍ର ଔପଚାରିକତା ପାଳନ ପାଇଁ ହେଉଛି, ଉପସ୍ଥିତ ବିଭିନ୍ନ ଅଧିକାରୀ ବିନା ସତ୍ୟତା ଓ ସମୀକ୍ଷା ଠୁଁ ଦୂରେଇ କେବଳ ପୁରାଣ ପାଠ ଭଳି କିଛି ବକ୍ତବ୍ୟ ରଖି ସାରି ଦେଉଛନ୍ତି। କେନ୍ଦ୍ରୀୟ ଓ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନ ତୃଣମୂଳ ସ୍ତରରୁ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଣଦେଖା କରି ବ୍ଲକ ପ୍ରଶାସନ ବେପାରୀ ସାଜିଥିବା ଅଭିଯୋଗ ଆଣିଛନ୍ତି ପି ଆର ଆଇ ସମନ୍ଵୟ ସଂଘ। ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆସୁଥିବା ଅନୁଦାନକୁ ବ୍ଲକ ପ୍ରଶାସନ ନିଜ ପୈତୃକ ସଂପତ୍ତି ଭଳି ବେପରୁଆ ଖର୍ଚ୍ଚ କରୁଥିବା ଅଭିଯୋଗ କରିଛନ୍ତି। ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟ,ଶିକ୍ଷା ଭିତ୍ତିଭୂମି,ସ୍ୱାସ୍ଥ୍ୟ ଭିତ୍ତିଭୂମି,ଜଙ୍ଗଲ ସୁରକ୍ଷା, ପରିମଳ ବ୍ୟବସ୍ଥା,ଜଳ ଯୋଗାଣ ବ୍ୟବସ୍ଥା,ସାମାଜିକ କଲ୍ୟାଣ, ଖାଉଟି କଲ୍ୟାଣ, ପରିବେଶ, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ, ପୂର୍ତ୍ତ, ଉଠା ଜଳସେଚନ, ଗ୍ରାମ୍ୟ ରାସ୍ତା, ମନରେଗା ଆଦି ସମ୍ପର୍କରେ ଚର୍ଚ୍ଚା ନ ହୋଇ ଧର୍ମକୁ ଆଖି ଠାର ଭଳି ଚାଲିଛି। ଉପରୋକ୍ତ ସମସ୍ତ ବିଭାଗର ବ୍ଲକରେ ଚାଲିଥିବା ପ୍ରକଳ୍ପ ସ୍ଥିତି,କର୍ୟ୍ଯକ୍ରମ୍ ଆଦି ତଥ୍ୟ ମାଗିଲେ ମଧ୍ୟ ମିଳି ପାରୁନି। ଏଣୁ ବ୍ଲକ ର ବିକାଶ ପ୍ରକ୍ରିୟା ଜାରୀ ରଖିବା ପାଇଁ ଉପରୋକ୍ତ ବିଭାଗୀୟ ତଥ୍ୟ ଦେବା ସହ ବ୍ଲକର ଉନ୍ନତି ପାଇଁ ଉପଯୁକ୍ତ ପଡକ୍ଷେପ ନେବାକୁ ତେନ୍ତୁଳିଖୁଣ୍ଟି ବ୍ଲକ ସମନ୍ଵୟ ସଂଘ ଦାବୀ ରଖିଛି।